କନକ ବ୍ୟୁରୋ : ଏକ ବିରଳ ଘଟଣା କ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘଚାଳକ ମୋହନ ଭାଗବତ ଗତକାଲି କଂଗ୍ରେସ ଦଳର ଢେର୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଦେଶକୁ ଏହି ଦଳ ଅନେକ ମହାନ ବ୍ୟକ୍ତିତ୍ୱ ମଧ୍ୟ ଦେଇଛି ।
ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ‘ ଭାରତର ଭବିଷ୍ୟତ: ଏକ ଆରଏସ୍ଏସ୍ ଦୃଷ୍ଟିକୋଣ’ ଶୀର୍ଷକରେ ଆୟୋଜିତ ଏକ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉଦ୍ବୋଧନ ଦେଇ ଭାଗବତ ଏହା କହିଛନ୍ତି । ଦୀର୍ଘ ୮୦ ମିନିଟ କାଳ ଉଦ୍ବୋଧନ ଦେଇ ସେ ନାନାଦି ପ୍ରସଙ୍ଗ ଉପରେ ମତ ରଖିଛନ୍ତି । ଆର୍ଏସ୍ଏସ୍ର ପ୍ରତିଷ୍ଠାତା କେଶବ ବଳିରାମ ହେଡ୍ଗେଓ୍ଵାରଙ୍କ କାର୍ଯ୍ୟ ଓ ଜୀବନୀ, ସମାଜକୁ ନଷ୍ଟ କରୁଥିବା ସାମାଜିକ ବ୍ୟାଧି, ଦେଶ ପାଇଁ ବିବିଧତାର ଗୁରୁତ୍ୱ, ଭାରତର ସ୍ୱାଧୀନତା ସଂଗ୍ରାମ ସମେତ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା ଉପରେ ବିସ୍ତତ ଆଲୋଚନା କରିଥିଲେ ।