କଟକରୁ ୪ ବର୍ଷ ଶାସନର ହିସାବ ଦେବେ ମୋଦି ! ବିଜେପି କହିଲା, ଓଡ଼ିଶାରୁ ୨୦୧୯ ପାଇଁ ବାଜିବ ବିଗୁଲ

33

କନକ ବ୍ୟୁରୋ : କର୍ଣ୍ଣାଟକର ସିଂହାସନ ଲଢେଇରେ ବିଜେପିକୁ ବଡ ଝଟକା ପରେ ଆସନ୍ତା ୨୬ ତାରିଖରେ ଓଡିଶାରେ ଦେଖିବାକୁ ମିଳିବ ମୋଦିଙ୍କ ଶୋ । ନିଜ ଶାସନର ୪ବର୍ଷର ହିସାବ ଦେବାକୁ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ବାଛିଛନ୍ତି । କଟକର ଐତିହାସିକ କିଲ୍ଲା ପଡିଆରେ ବିଜେପି ସରକାରର ୪୮ ମାସ ଶାସନର ୪୮ଟି ଉପଲବ୍ଧିର ଚିଠା ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଏପେଟ ଆସନ୍ତାକାଲି ବିଜେଡି ସରକାର ୪ବର୍ଷ ପୁରା କରିବାକୁ ଯାଉଛନ୍ତି । ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛି ବିଜେଡି ।

ମୋଦିଙ୍କ ଓଡିଶା ଗସ୍ତ କଥା ଆସିଲେ ସବୁବେଳେ ଏହାର ଓଡିଶା ରାଜନୀତିରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଚର୍ଚ୍ଚା ହୁଏ । ଆଉ ଏପଟେ ୧୮ ବର୍ଷ ରହି ପଂଚମ ଥର କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ କରୁଥିବା ବିଜେଡି କହିଛି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଛୁ । ନବୀନ ସରକାରର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ସୋମବାର ପୂରା ହେବାକୁ ଯାଉଥିବା ବେଳେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ୪ ବର୍ଷ ପୂର୍ତ୍ତିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ଉଭୟଙ୍କୁ ଟାର୍ଗେଟ କରିଛି । ତୈଳ ଦର ବୃଦ୍ଧି, ଏଟିଏମରେ ଟଙ୍କା ନମିଳିବା ଓ ସର୍ବୋପରି ମହାନଦୀ ପ୍ରସଙ୍ଗ ଭିତରେ ମୋଦିଙ୍କ ଏହି ଗସ୍ତର ପ୍ରଭାବ କଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।