ସୁନ୍ଦରଗଡ ଓ ସୋନପୁର ଗସ୍ତ ପୂର୍ବରୁ ମୋଦିଙ୍କ ଟ୍ୱିଟ୍ ! ଓଡ଼ିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ

254

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ପାଇଁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ଓଡ଼ିଶା ବିଜୟ ପାଇଁ ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ, ଅମିତ ଶାହ, ଯୋଗୀ ଆଦିତ୍ୟନାଥ ନିୟମିତ ବ୍ୟବଧାନରେ ଓଡ଼ିଶା ଆସୁଛନ୍ତି । ଏହି ପରିପେକ୍ଷୀରେ ଆଜି ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀ ।

ତେବେ ଓଡ଼ିଶା ଗସ୍ତ ପୂର୍ବରୁ ମୋଦି ଏକ ଟ୍ୱିଟ୍ କରିଛନ୍ତି । ଆଗାମୀ ନିର୍ବାଚନରେ ଓଡ଼ିଶା ଫଳାଫଳ ନେଇ ଟ୍ୱିଟ କରିଛନ୍ତି ମୋଦି । ଓଡ଼ିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ ବୋଲି ଦୋହରାଇଛନ୍ତି ମୋଦି । ପୂର୍ବରୁ ମଧ୍ୟ ଓଡ଼ିଶା ଗସ୍ତରେ ଆସି ଏକଥା କହିଛନ୍ତି ମୋଦି । ରାଜ୍ୟରେ ବିଜେପି ରେକର୍ଡ଼ ସଂଖ୍ୟକ ଆସନ ହାସଲ କରିବା ସହ ବିଜୟ ଲାଭ କରିବ । ଚଳିତ ନିର୍ବାଚନରେ ଜନତା ଉଭୟ କଂଗ୍ରେସ ଓ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ।

ସୂଚନାଯୋଗ୍ୟ ସୁନ୍ଦରଗଡ ଓ ସୋନପୁରରେ ୨ଟି ନିର୍ବାଚନୀ ସଭାରେ ଯୋଗ ଦେଇ ନିଜ ଦଳ ପାଇଁ ପ୍ରଚାର କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ ୮ଟା ୪୫ରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତିକ ବିମାନ ବନ୍ଦରରୁ ଝାରସୁଗୁଡା ଅଭିମୁଖେ ବାହାରିବେ । ଠିକ୍ ୧୦ଟା ୨୫ରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରୁ ସୁନ୍ଦରଗଡ କିରେଇ ନିକଟସ୍ଥ ରୂପଡିହି ଛତାବର ପଡିଆକୁ ଯିବେ । ପ୍ରାୟ ୧୧ଟାରେ ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଚାର କରିବେ । ଏଠାରେ ମୋଦି ୪୦ ମିନିଟ୍ ରହିବାର କାର୍ଯ୍ୟକ୍ରମ ରହିଛି । ତାପରେ ସୋନପୁର ଯିବେ । ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ।