ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ : ମୁଲାୟମଙ୍କ ଭାଇ ଶିବପାଲ ଓ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ପରାଜିତ, ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ଦେଖିଲେ ପରାଜୟର ମୁହଁ

248

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି । ମୋଦୀ ଲହରରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପଦେଶ, ହରିୟାଣାରେ ବଂଶବାଦ ରାଜନୀତି ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି । ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ଏଥର ନିର୍ବାଚନରେ ଶକ୍ତ ଝଟ୍କା ଲାଗିଛି । ଯାଦବ ପରିବାରର ୪ଟି ଆସନ ଏଥର ଖସିଯାଇଛି । କେବଳ ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜମଗଡ ଆସନରୁ ନିର୍ବାଚନ ଜିତିଥିବା ବେଳେ ସପା ପ୍ରତିଷ୍ଠାତା ମୁଲାୟମ ସିହ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଜିତିଛନ୍ତି । କିନ୍ତୁ ଅଖିଳେଶଙ୍କ ପତ୍ନୀ ଡିମ୍ପଲ, କନୌଜ ଲୋକସଭା ଆସନରେ ହାରି ଯାଇଛନ୍ତି । ମୁଲାୟମଙ୍କ ଭାଇ ଶିବପାଲ ଯାଦବ ଏବଂ ପୁତୁରା ଅକ୍ଷୟ ଓ ଧର୍ମେନ୍ଦ୍ର ଯାଦବ ମଧ୍ୟ ସେମାନଙ୍କ ଆସନରୁ ହାରି ଯାଇଛନ୍ତି ।

ଅନ୍ୟପକ୍ଷେ ହରିୟାଣାରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । ଭୁପିନ୍ଦର ହୁଡ଼ା ସୋନିପତ ଆସନରୁ ଏବଂ ତାଙ୍କ ପୁଅ ଦୀପେନ୍ଦ୍ର ରୋହତକ ଆସନରୁ ନିର୍ବାଚନ ହାରିଥିବା ବେଳେ ଭଜନ ଲାଲ୍ ବିଷ୍ଣୋଇଙ୍କ ନାତି ଭବ୍ୟ ବିଷ୍ଣୋଇ ହିସାର ଆସନରୁ ହାରିଛନ୍ତି । ଅନ୍ୟପକ୍ଷେ ବଂଶୀଲାଲଙ୍କ ନାତୁଣୀ ଶ୍ରୁତି ଚୌଧୁରୀ ଭିୱାନୀ ମହେନ୍ଦ୍ରଗଡରୁ ନିର୍ବାଚନ ହାରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥୀରୁ ହାରିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟ ନିର୍ବାଚନ ହାରିଛନ୍ତି । ମଧ୍ୟପ୍ରଦେଶର ଗୁନାରେ ମାଧବ ରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ହାରିଛନ୍ତି । ସେପଟେ ଦକ୍ଷିଣରେ କର୍ଣ୍ଣାଟକରେ ବଂଶବାଦ ରାଜନୀତି ମଧ୍ୟ ଫେଲ୍ ମାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡା ତୁମକୁର ଆସନରେ ହାରିଥିବାବେଳେ ତାଙ୍କ ନାତି ନିଖିଳ କୁମାରସ୍ୱାମୀ ମାଣ୍ଡ୍ୟା ଆସନରେ ପରାଜିତ ହୋଇଛନ୍ତି ।

ଦକ୍ଷିଣ ମୁମ୍ବାଇରେ ବରିଷ୍ଠ କଂଗ୍ରେସ ନେତା ମୁରଲି ଦେଓରାଙ୍କ ପୁଅ ମିଲିନ୍ଦ ଦେଓରା ହାରିଯାଇଛନ୍ତି । ଅନ୍ୟପକ୍ଷେ ବଂଶବାଦ ରାଜନୀତି କୁହା ନଗଲେ ବି ଅଭିନେତାରୁ ରାଜନେତା ବନିଥିବା ସୁନଷଲ ଦତଙ୍କ ଝିଅ ପ୍ରିୟା ଦତ ମୁମ୍ବାଇରୁ ହାରିଥିବାବେଳେ ବଳରାମ ଜାଖରଙ୍କ ପୁଅ ସୁନଷଲ ଜାଖର ଗୁରଦାସପୁରରୁ ନିର୍ବାଚନ ହାରିଛନ୍ତି । ମୋଦୀ ଲହରରେ ସୁବଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆରଜେଡି । ଲାଲୁଙ୍କ ଅନୁପସ୍ଥିତିରେ ଆରଜେଡି ସତା ହରାଇଛି । ଲାଲୁଙ୍କ ଝିଅ ମିସା ଭାରତୀ ବିହାରର ପାଟଳିପୁତ୍ରରେ ନିର୍ବାଚନ ହାରି ଯାଇଛନ୍ତି ।