ସାରା ଦେଶରେ ଧୁମଧାମରେ ଅନୁଷ୍ଠିତ ହେଲା ରାବଣ ପୋଡି ଉତ୍ସବ ! ଦିଲ୍ଲୀର ସୁବାଷ ପାର୍କରେ ପ୍ରତୀକାତ୍ମକ ଭାବରେ ଧନୁତୀର ଧରି ରାବଣ ବଧ କଲେ ପ୍ରଧାନମନ୍ତ୍ରୀ ମୋଦି

56

କନକ ବ୍ୟୁରୋ : ସତ୍ୟ ସ୍ଥାପନାର ପର୍ବ ତଥା ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ଭାବେ ପରିଚିତ, ରାବଣ ପୋଡ଼ି ଉତ୍ସବ ସାରା ଦେଶରେ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ସୁବାଷ ପାର୍କରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଧନୁତୀର ଧରି ପ୍ରତୀକାତ୍ମକ ଭାବରେ ରାବଣ ବଧ କରିଥିଲେ ।

ସେହିପରି ଆର ରାଜ୍ୟରେ ମଧ୍ୟ ଖୁବ୍ ଧୁମଧାମରେ ପାଳିତ ହୋଇଛି ରାବଣ ପୋଡ଼ି ଉତ୍ସବ । ପ୍ରତୀକାତ୍ମକ ଭାବରେ ପାଳିତ ହେଉଥିବା ରାବଣ ପୋଡ଼ି ଧୁମଧାମରେ ଭୁବନେଶ୍ୱର ପାଳିତ ହୋଇଛି । ଭୁବନେଶ୍ୱର ରାବଣପୋଡିରେ ବର୍ଷା ସାଜିଥିଲା ବାଧକ । ବରମୁଣ୍ଡାରେ ରାବଣପୋଡି କାର୍ଯ୍ୟକ୍ରମ ରାତି ୯ଟାରେ ନିର୍ଦ୍ଧାରିତ ହୋଇଥିଲା । ହେଲେ ବର୍ଷା ଯୋଗୁଁ ରାତି ୯ଟା ୩୦ରେ ପାଳିତ ହୋଇଥିଲା ରାବଣ ପୋଡି । ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତୀକ ଭାବେ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନିସଂଯୋଗ କରିଥିଲେ । ହେଲେ ଓଦା ହୋଇଥିବାରୁ ରାବଣ ପ୍ରତିମୂର୍ତ୍ତି ଠିକରେ ପୋଡି ନଥିଲା । ସେପଟେ ରାବଣ ପୋଡି ଦେଖିବାକୁ ଆସିଥିବା ଲୋକେ ମଧ୍ୟ ହଇରାଣରେ ପଡିଛନ୍ତି । କିଛି ଲୋକ ବର୍ଷାରୁ ରକ୍ଷା ପାଇବା ପାଇଁ ଏଣେତେଣେ ଦୌଡାଦୋଡି କରିଥିଲେ, ଆଉ କିଛି ବର୍ଷାରେ ଓଦା ହୋଇ ରାବଣ ପୋଡି ଦେଖିଥିଲେ ।

ଝାରପଡ଼ା ପୂଜା କମିଟି ପକ୍ଷରୁ ମଧ୍ୟ ମହା ଆଡମ୍ବରରେ ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଛି । ଠିକ୍ ୮ଟା ସମୟରେ ମା’ଙ୍କ ଆଳତୀ ପରେ ପରେ ହିଁ ଆରମ୍ଭ ରାବଣ ପୋଡ଼ି ଉତ୍ସବ । ଝାରପଡ଼ା ପୂଜା କମିଟିର ସଭାପତି ଶିଖରଚନ୍ଦ୍ର, ପ୍ରତୀକାତ୍ମକ ଭାବରେ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ପ୍ରାୟ ଘଂଟେରୁ ଦେଢ଼ ଘଂଟା ଧରି ସେଠାରେ ଚାଲିଥିଲା ଆତସବାଜୀ । ରାବଣର ପ୍ରତିମୂର୍ତ୍ତିକୁ ମିଶାଇ ରାବଣ ପୋଡ଼ି ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ଏଥିର ବଜେଟ୍ ରହିଥିଲା । ଆଉ ପୁରା କାର୍ଯ୍ୟକ୍ରମ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଥିଲା । ରାବଣ ପୋଡ଼ି ଠାରୁ ପ୍ରାୟ ୪ଶହ ମିଟର ଦୂରରେ ଦର୍ଶକଙ୍କ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଥିଲା ।