କନକ ବ୍ୟୁରୋ : କର୍ଣ୍ଣାଟକରେ ସରକାରକୁ ଆସିଲେ ବିଜେପି ବାଂଟିବ ମଂଗଳସୂତ୍ର । ଆଜି ନିର୍ବାଚନୀ ଇସ୍ତାହାରରେ ଦଳ ଏଭଳି ପ୍ରତିଶ୍ରୁତି ଦେଇଛି । ବିପିଏଲ୍ ପରିବାରର ମହିଳାଙ୍କୁ ବିବାହ ବେଳେ ମଙ୍ଗଳସୂତ୍ର ସହ ମାଗଣା ସ୍ମାର୍ଟଫୋନ୍ ଦେବାକୁ ବିଜେପି ଘୋଷଣା କରିଛି । ଏଥିସହ ଚାଷୀଙ୍କ ପାଇଁ ମାଗଣା ବିଦ୍ୟୁତ୍ ଓ ମରୁଡି ଅଂଚଳରେ କୃଷକଙ୍କୁ ସହାୟତା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ହାତରେ ମାତ୍ର ୭ ଦିନ ସମୟ ଥିବା ବେଳେ ଚାଲିଛି ହାଇପ୍ରୋଫାଇଲ୍ ପ୍ରଚାର ।
ଭୋଟ୍ ହାତେଇବା ପାଇଁ ଏବଂ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରତି ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜରିଆରେ ଏକ ସୁନେଲି ସ୍ୱପ୍ନ ଦେଖାନ୍ତି ରାଜନୈତିକ ଦଳ । ଆଉ ଚଳିତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ରଖିଥିବା ପ୍ରତିଶ୍ରୁତି କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଙ୍କ ପାଇଁ ମନଲୋଭା ପ୍ରତିଶ୍ରୁତି ଦେଇ, କର୍ଣ୍ଣାଟକର ଅଧା ଜନସଂଖ୍ୟାକୁ ପ୍ରଭାବିତ କରିବା ଭଳି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ପୂର୍ବରୁ ଜାରି ହୋଇଥିବା ଇସ୍ତାହାରରେ ରହିଛି ଏମିତି କିଛି ରୋଚକ ଘୋଷଣା । ଯେଉଁଥିରେ କୁହାଯାଇଛି-
-ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କୁ ବିବାହ ସମୟରେ ୩ଗ୍ରାମର ମଙ୍ଗଳସୂତ୍ର ଦିଆଯିବ
- ବିପିଏଲ୍ ପରିବାରର ସମସ୍ତ ମହିଳାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ସ୍ମାର୍ଟଫୋନ୍
-ମହିଳାଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ
-ବାର୍ଷିକ ୧ରୁ୨ ଲକ୍ଷ ପର୍ଯ୍ୟନ୍ତ ଆୟକାରୀ ମହିଳାଙ୍କ ପାଇଁ ଆରମ୍ଭ ହେବ ଭାଗ୍ୟଲକ୍ଷ୍ମୀ ସ୍କିମ୍
ମହିଳାଙ୍କ ପାଇଁ ବମ୍ପର ଅଫର ଘୋଷଣା କରିଥିବା ବିଜେପି ଦଳ, ଚାଷ ଓ ଚାଷୀଙ୍କୁ ନେଇ ଦେଖାଇଛି ସୁନେଲି ସ୍ୱପ୍ନ । ଚାଷୀଙ୍କ ଭାଗ୍ୟ ବଦଳାଇ ଦେବାର ପ୍ରତିଶ୍ରୁତି ଦେଇ ଘୋଷଣା କରାଯାଇଛି ।-
-ମରୁଡି ପ୍ରଭାବିତ ଅଂଚଳର ଚାଷୀଙ୍କୁ ଦିଆଯିବ ଆର୍ଥିକ ସହାୟତା
-୨୦ ଲକ୍ଷ ଚାଷୀଙ୍କୁ ୧୦ ହଜାର ଲେଖାଏଁ ସହାୟତାର ଦିଆଯାଇଛି ପ୍ରତିଶ୍ରୁତି
-ଚାଷୀଙ୍କୁ ୧୦ ଘଂଟା ପର୍ଯ୍ୟନ୍ତ ପାଣି ପମ୍ପ ଚଲାଇବା ପାଇଁ ମାଗଣା ବିଦ୍ୟୁତ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଯୁଦ୍ଧରେ ବିଜୟୀ ହେବା ପାଇଁ କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍ ୟେଦ୍ଦୁରପ୍ପା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ଉପସ୍ଥିତରେ ଘୋଷଣା ହୋଇଥିବା ନିର୍ବାଚନୀ ଇସ୍ତାହାରରେ ହୋଇଛି ଏହି ପ୍ରତିଶ୍ରୁତିର ବନ୍ୟା । ଜନମଙ୍ଗଳ ରାଷ୍ଟ୍ରରେ ଜନତାଙ୍କ କଲ୍ୟାଣ ପାଇଁ ସରକାରଙ୍କ ପଦକ୍ଷେପ ନେବା ହେଉଛି ସରକାରର ଦାୟିତ୍ୱ । ତେବେ ଏହା କେଉଁ ପ୍ରଚାର ଜନକଲ୍ୟାଣ ହୁଏତ ତାହା ବିଜେପି ପାଇଁ ନୀତି ନିର୍ଦ୍ଧାରଣ କରୁଥିବା ନେତା ହିଁ କରିପାରିବେ ।