ଯାଜପୁରରେ କାମ ଦେଲାନି ମୋଦି ଲେହେର୍ : କେନ୍ଦ୍ରୀୟ ନେତାଙ୍କ ନାରା ଉପରେ ଭାରି ପଡ଼ିଲା ନବୀନଙ୍କ ରୋଡ଼ସୋ’

175

କନକ ବ୍ୟୁରୋ : ଯାଜପୁରରେ ଡବଲ୍‌ ଇଂଜିନ୍‌ ସରକାରର ନାରା କାମ ଦେଲାନି । ଦେଶରେ ମୋଦୀ ମ୍ୟାଜିକ୍‌ କାମ କରିଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର କୌଣସି ପ୍ରଭାବ ପଡ଼ିଲାନି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଜିଲ୍ଲାକୁ ୪ଜଣ କେନ୍ଦ୍ରମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆସିଥିଲେ । ରାଜ୍ୟର କ୍ଷମତାସୀନ ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ିବାକୁ ଆହ୍ବାନ ଦେଲେ । ତେବେ ଭୋଟର ଏଥିରେ ପ୍ରଭାବିତ ହେଲେ ନାହିଁ । ନିର୍ବାଚନ ଫଳ ବାହାରିବା ବେ‌ଳକୁ ବିଜେପିର ସବୁ କୌଶଳ ଫସର ଫାଟି ଯାଇଥିବା ସ୍ପଷ୍ଟ ହୋଇଗଲା । ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ଜିଲ୍ଲାରେ ଲୋକସଭା ଆସନ ସମେତ ୭ଟି ବିଧାନସଭା ଆସନକୁ ପୋଛିନେଲା ବିଜେଡି ।  ଅବଶ୍ୟ ଜିଲ୍ଲାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ଧରାଶାୟୀ ହୋଇପଡ଼ିଛି ।

ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲା ଉପରେ ଏହି ନିର୍ବାଚନରେ ବିଜେପି ଅଧିକ ଫୋକସ୍‌ ରଖିଥିଲା । ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଂଝାରପୁରରେ ଜଣେ ଦଳିତଙ୍କ ଘରେ ଖାଇବା ଏବଂ ପାଣିକୋଇଲିରେ ଉଦ୍‌ବୋଧନ ଦେଇ ଜିଲ୍ଲାରେ ବିଜେପିର ମଞ୍ଜି ବୁଣିଥିଲେ । ଏହା ପରଠାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ହେଲେ ସବୁ ଉଦ୍ୟମ ଏବଂ ପ୍ରସ୍ତୁତି ୨୦୧୯ ନିର୍ବାଚନରେ ଭୋଟ‌ରେ ରୂପାନ୍ତରିତ ହୋଇପାରିଲା ନାହିଁ । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାକୁ ବିଜେପିର କେନ୍ଦ୍ରୀୟ ନେତାମାନେ ଆସି ସରକାର ବଦଳାଇବାକୁ ନାରା ଦେଇଥିଲେ ।

ଯାଜପୁର ନିର୍ବାଚନ ମଣ୍ଡଳୀର ରାମବାଗଠାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ନିର୍ବାଚନୀ ସଭାରେ ଯୋଗ ଦେଇ ଯାଜପୁରକୁ ରେଳ ସଂଯୋଗ, ନୂତନ ୨୦ ନଂ ଜାତୀୟ ରାଜପଥର କାର୍ଯ୍ୟାରମ୍ଭ ଏବଂ ଏପରିକି ଚର୍ଚ୍ଚିତ ବ୍ଲାକରୋଜ୍‌ ବୁଡି ଘଟଣାର ତଦନ୍ତ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ବରୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଗୃହ ମନ୍ତ୍ରୀ ରାଜନାଥ ସିଂ ଗସ୍ତ କରି ମାଳଦା ପଡିଆରେ ନିର୍ବାଚନୀ ସଭା କରିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୁକିନ୍ଦାକୁ ଆସି ବିଜେଡି ସରକାରକୁ ଉପାଡି ଫିଙ୍ଗିବାର ଅଛି ବୋଲି ମତ ରଖିଥିଲେ ।

ସେହିପରି ରସୁଲପୁର ବ୍ଲକକୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ ଗସ୍ତ କରି ବିଜେପି ପାଣିପାଗକୁ ଗରମ କରିଥିଲେ । ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିତ ବିଜୟ ହେବ ଏବଂ ବଡଚଣା , ସୁକିନ୍ଦା ସହ ଲୋକସଭା ଆସନରେ ବି ବିଜେପି ବିଜୟୀ ହେବ ବୋଲି ଆଶା ରଖିଥିଲା । କିନ୍ତୁ ଆଶା ଓ ବାସ୍ତବତାରେ ଫରକ ଘଟିଲା । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବରୀ,ବଡଚଣା,ଧର୍ମଶାଳା ନିର୍ବାଚନ ମଣ୍ଡଳ‌ୀ ଗୋଟିଏ ରୋଡ ସୋ କରି ପ୍ରଚାର ଶେଷ କରିଥିଲେ । ଯାଜପୁର, କୋରେଇ,ସୁକିନ୍ଦା ଓ ବିଂଝାରପୁରକୁ ନବୀନ ନିର୍ବାଚନ ପ୍ରଚାରରେ ଆସିନଥିଲେ । ହେଲେ ନବୀନଙ୍କ ଏହି ଗୋଟିଏ ରୋଡ ସୋ’ ବିଜେପି କେନ୍ଦ୍ରୀୟ ନେତାଙ୍କ ଉପରେ ଭାରି ପଡ଼ିଥିଲା ।