ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ! ଏଥର ଓଡ଼ିଶା ସହ ଦିଲ୍ଲୀରେ ପୁଣି ଥରେ ଭାଜପା ସରକାର

277

କନକ ବ୍ୟୁରୋ : ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଜୟ ଜଗନ୍ନାଥ ଓ ସମ୍ବଲପୁରୀ ଭାଷାରେ ଜୁହାର କହି ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଆରମ୍ଭ କରିଥିଲେ । ସେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଛନ୍ତି । ଦିଲ୍ଲୀରେ ପୁଣି ଥରେ ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି କରିଛନ୍ତି ମୋଦି । କେବଳ ଦିଲ୍ଲୀରେ ନୁହେଁ ଓଡ଼ିଶାରେ ବି ଏଥର ଲୋକ ବିଜେପିକୁ ହିଁ ଭୋଟ । ମନ ପରିବର୍ତ୍ତନ କରିସାରିଛନ୍ତି ଜନତା ।

ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା । ଓଡ଼ିଶାରେ ନିର୍ବାଚନ ଚାଲିଥିବା ସମୟରେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଓଡ଼ିଆରେ ସଭାରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ପୁଣି ମୋଦି ସରକାର ଆସିବ ବୋଲି ତାଙ୍କର ବିଶ୍ୱାସ ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଓଡିଶାରେ ମହାନଦୀ ଅଛି, କିନ୍ତୁ ଚାଷୀ ଚାଷ କରିପାରୁନାହାନ୍ତି ବୋଲି ମୋଦି ସଭାକୁ ସମ୍ବୋଧିତ କରି କହିଛନ୍ତି । ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଖାଲି ତାକୁ ଠିକ ଭାବେ କାର୍ଯ୍ୟକାରୀ କରିବାର ଅଭାବ ରହିଛି ।

ବିଜେଡ଼ି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବଳ ସରକାରଙ୍କ ଯୋଗୁଁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଓଡ଼ିଶା ଗରିବ ହୋଇ ରହିଯାଇଛି । ମହାନଦୀ ଓ ହୀରାକୁଦ ଥିଲେ ବି କୃଷକଙ୍କ ହାତ ବନ୍ଧା ହୋଇଛି । ହେଲେ କୃଷକ ଟୋପା ଟୋପା ପାଣି ପାଇଁ ଡହକ ବିକଳ ହେଉଛନ୍ତି । କେନ୍ଦ୍ର ରାଜ୍ୟକୁ ବିପୁଳ ପରିମାଣରେ ଟଙ୍କା ଦେଉଛନ୍ତି । ହେଲେ ରାଜ୍ୟର ବିଜେଡ଼ି ସରକାର ଟଙ୍କା ଖର୍ଚ୍ଚ କରିପାରୁନାହି । ଓଡ଼ିଶାବାସୀ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜେଡ଼ି ସରକାରଙ୍କୁ ଏଥର ହଟାଇବା ଜରୁରୀ ।

୨୦ ବର୍ଷ ଆଖି ବନ୍ଦ କରି ଜନତା ନବୀନ ସରକାରଙ୍କ ଉପରେ ଭରସା କଲେ । ହେଲେ ଓଡ଼ିଶାବାସୀ ଏବେ ମନ ପରିବର୍ତ୍ତନ କରିଛନ୍ତି । ଏଠାରେ ସରକାର ଚାଲାକିରେ କାମ କରୁଛି । ୧ ଟଙ୍କିଆ ଚାଉଳ ପାଇଁ କେନ୍ଦ୍ର ସରକାର ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ରାଜ୍ୟ ସରକାର କିଛି ଟଙ୍କା ଦେଇ ଜନତାଙ୍କ ନିକଟରେ ପହଞ୍ଚାଉଛନ୍ତି । ଓଡ଼ିଶା ସରକାର ଶସ୍ତାରେ ଚାଉଳ ଦେଉଛନ୍ତି କହି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ବିଗତ ୫ ବର୍ଷରେ ଓଡ଼ିଶାବାସୀଙ୍କୁ ୧୨ ଲକ୍ଷରୁ ଅଧିକ ଘର ମିଳିଛି । ୨୦୨୨ ପର‌୍ୟ୍ୟନ୍ତ ଓଡ଼ିଶାରେ ସମସ୍ତଙ୍କର ନିଜର ପକ୍କା ଘର ହେବ । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବା । ଯୋଜନା ଲାଗୁ ହେବାପରେ ଗରିବ ପରିବାରଙ୍କୁ ୫ ଲକ୍ଷ ପର‌୍ୟ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ ।