ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଦିନ : ଆଜି ମନ୍ତ୍ରିମଣ୍ଡଳର ବିଭାଗ ବଂଟନ, କାହାକୁ ମିଳିବ କେଉଁ ମନ୍ତ୍ରାଳୟ ?

172

କନକ ବ୍ୟୁରୋ : ତିନି ମାସର ନିର୍ବାଚନୀ ପ୍ରକିୟା ଶେଷ ହେବା ପରେ ଶେଷର ଗଠନ ହୋଇଛି ସରକାର । ଗତକାଲି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଶପଥ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ କରିବା ଆରମ୍ଭ କରିଦେଇଛନ୍ତି । ବିମେଷ୍ଟକ୍ ଦେଶ ଗୁଡ଼ିକ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା ରହିଛି । ଆଜି ସନ୍ଧ୍ୟା ୫ଟାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି ।

ସେପଟେ ବିଜେପିର ପରବର୍ତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ବୋଲି ଚର୍ଚ୍ଚା ହେଉଛି? ମୋଦି ମନ୍ତ୍ରିମଣ୍ଡଳରେ ଅମିତ ଶାହା ସାମିଲ ହୋଇଥିବାରୁ ସେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତେଣୁ ଏବେ ଦଳର ସଭାପତି କିଏ ହେବ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଭୂପେନ୍ଦ୍ର ଯାଦବ । ତେବେ ଜେପି ନଡ୍ଡାଙ୍କ ନାଁ ଆଗରେ ଥିବା ଜଣାପଡିଛି । ଭୂପିନ୍ଦର ଯାଦବଙ୍କ ନାମ ମଧ୍ୟରେ ଚର୍ଚ୍ଚାରେ ରହିଛି ।