ମାନନୀୟ ମୋଦିଙ୍କୁ ମନର କଥା !

122

(ସ୍ୱୟଂପ୍ରକାଶ ମହାପାତ୍ର, କନକ ନ୍ୟୁଜ) : ମୁଁ ଜାଣିନାହିଁ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡିଶା ବାବଦରେ ଧାରଣା କଣ? ରାଜ୍ୟକୁ ସେ କେତେ ଜାଣିଛନ୍ତି? କାହିଁକି ସେ ରାଜ୍ୟକୁ ଗରିବ ଆଉ ପଛୁଆ କହୁଛନ୍ତି? ଯେଉଁ ପଛୁଆ ଇଲାକାର ଉଦାହାରଣ ଉତରପ୍ରଦେଶରେ ଦେଉଛନ୍ତି, ସେଠି ତାଙ୍କ ପାଦ ଶେଷଥର ପାଇଁ କେବେ ପଡିଥିଲା? ଭୋଟ୍ ରାଜନୀତିରେ ଅନ୍ୟକୁ ନିଚ୍ଚା ଦେଖାଇବାର ଚାଲିଥିବା ପରମ୍ପରା ଭିତରକୁ ପ୍ରବେଶ କରି ଯଦି ସେ ନିର୍ବାଚନ ବୈତରଣୀ ପାର କରିବାକୁ ଚାହୁଁଛନ୍ତି, ତେବେ କିଛି ଅସୁବିଧା ନାହିଁ । ହେଲେ ସାଢେ ଚାରିକୋଟି ଓଡିଆଙ୍କୁ ଅପମାନିତ କରିବାର ଅଧିକାର ମୋଦିଙ୍କର ନାହିଁ । ହଁ, ଆଜିର ଦିନରେ ଓଡିଶାରେ ଗରିବ ଜିଲ୍ଲା ଥାଇପାରେ, କିଛି ଲୋକ ନିରକ୍ଷର, ବେକାରୀ ସମସ୍ୟା ଅଛି, କିନ୍ତୁ ବାହାର ପ୍ରଦେଶରେ ଓଡିଶାକୁ ଏଭଳି ଚିତ୍ରଣ କଣ ପାଇଁ?

ମୋଦି କହିଲେ, ଓଡିଶାରେ ଦେଶର ସବୁଠାରୁ ଗରିବ ଜିଲ୍ଲା ରହିଛି । ଯେଉଁଠି ଭୋକର ଚର୍ଚ୍ଚା ଆସେ, ସେଠି ଲୋକେ ଓଡିଶାର ଉଦାହରଣ ଦିଅନ୍ତି । ନିରକ୍ଷରତା, ଦାରିଦ୍ର୍ୟ ଓ ବେକାରୀ ପାଇଁ ଓଡିଶା ସର୍ବଦା ଚର୍ଚ୍ଚାରେ ଥାଏ । ମାନନୀୟ ମୋଦି ମହାଶୟ ବକ୍ତବ୍ୟ ରଖିବା ଅଗରୁ ରାଜ୍ୟ ନେତାଙ୍କଠାରୁ ତଥ୍ୟ ଗ୍ରହଣ କରିବାର ଆବଶ୍ୟକତା ଥିଲା । ବିଧାନସଭାରେ ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ଗତ ୮ ବର୍ଷରେ ପ୍ରାୟ ୮୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ସେହିଭଳି ଜାତୀୟ ଅଭିବୃଦ୍ଧି ହାରକୁ ପଛରେ ପକାଇଛି ଓଡିଶା । ଉତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଠାରୁ ଓଡିଶାର ମୁଣ୍ଡପିଛା ଆୟ ଯଥେଷ୍ଟ ଅଧିକ । ହୁଏତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗୋଲାପୀ ଚିତ୍ର ରାଜ୍ୟ ସରକାର ଦର୍ଶାଇ ଥାଇପାରନ୍ତି, ହେଲେ ଏତିକି ବୁଝିବାକୁ ଯଥେଷ୍ଟ ଯେ, ମୋଦି ଯେଉଁ ଆକାରରେ ଓଡିଶାକୁ ଚିତ୍ରଣ କଲେ, ତାର ବାସ୍ତବତା କିନ୍ତୁ ଅଲଗା ।

ସ୍ୱାଭାବିକ ଭାବେ ଏଠି ପ୍ରଶ୍ନ ଉଠୁଛି, ମୋଦି ଦେଶର ପ୍ରଧାନମନ୍ତ୍ରୀ ନା ଗୋଟିଏ ଦଳ କିମ୍ବା ରାଜ୍ୟ ଅବା ନିଜ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି । ଜଣେ ପ୍ରଧାନମନ୍ତ୍ରୀ ଭାବେ ସେ ଯେତିକି ଗୁଜୁରାଟର ସେତିକି ଓଡିଶାର ମଧ୍ୟ । ନିଜକୁ ବିକାଶ ପୁରୁଷ ଭାବେ ଚିତ୍ରଣ କରୁଥିବା ନରେନ୍ଦ୍ର ମୋଦି ପ୍ରାୟତଃ ଭାଷଣରେ ଉଲ୍ଲେଖ କରନ୍ତି, ପଶ୍ଚିମ ଭାରତ ତୁଳନାରେ ପୂର୍ବ ଭାରତର ବିକାଶ ବହୁ ପଛରେ । ବିମାରୁ ରାଜ୍ୟର ଛାପ ହଟାଇବାକୁ ତାଙ୍କ ସରକାର ଉଦ୍ୟମ କରୁଥିବା କଥା ସେ ବହୁବାର ଉଲ୍ଲେଖ କରିଛନ୍ତି । ସେହି ଦିଗରେ କୈଣସି ସନ୍ଦେହ ଅନ୍ତତଃ ମୋ ମନରେ ନାହିଁ, କାରଣ ସରକାର ଆସେ ଯାଏ, ଏହା ଏକ ନିରନ୍ତର ପ୍ରକ୍ରିୟା । ନେତା କଥା କୁହନ୍ତି, ଆଉ ବାସ୍ତବତାରେ କେତେ ରୂପାୟନ କରନ୍ତି ତାହା ପ୍ରତି ୫ ବର୍ଷରେ ଭୋଟର୍ ଜବାବ ଦିଅନ୍ତି । ତେବେ ବଡ କଥା ହେଉଛି, ଯଦି ମୋଦିଙ୍କ ହିସାବରେ ଆଜି ଓଡିଶା ଗରିବ, ତାହେଲେ ଏଥିପାଇଁ ଦାୟୀ କିଏ? ୨୦୦୦ରେ ଓଡିଶା ରାଜନୀତି ପରିବର୍ତନ ଦେଖିଲା । ବିଜେଡି-ବିଜେପି ମେଂଟ କ୍ଷମତାକୁ ଆସିଲେ । ୯ ବର୍ଷ କାଳ ରାଜ୍ୟରେ ମିଳିତ
ସରକାର ରହିଲା । ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ବିଜେପିର କିଛି ନେତାଙ୍କ ହାତରେ ରହିଥିଲା । ଅତୀତର ଏହି ୯ ବର୍ଷକୁ ଯଦି କେହି ଭୁଲି ଆଗକୁ ବଢିବାକୁ ଚାହୁଁଥିବେ, ତେବେ ତାହା ଭିନ୍ନ କଥା । ମୋଦି କହିଛନ୍ତି, ଓଡିଶାରେ ବିଜେପିର ପତାକା ପୋତିବାକୁ ଯାଗା ନଥିଲା, ଏହି ୯ ବର୍ଷ କଣ ତା’ହେଲେ ନବୀନଙ୍କ ଦୟାରୁ ଆପଣଙ୍କ ଦଳ କ୍ଷମତାକୁ ଆସିଥିଲା? ବିଜେପିର ବଡପଣ୍ଡା ମାନେ କହୁଥିଲେ, ବିଜେଡିର ହାତ ଧରି ସେମାନେ ଚଲାଇବା ଶିଖାଇଥିଲେ, ପୁଅ ବଡ ହେବାରୁ ବାପାକୁ ଛାଡିବା ଭଳି ବିଜେଡି, ବିଜେପିର ହାତ ଛାଡିଥିଲା । ଏହି ଉକ୍ତି କଣ
ଭୁଲ ମାନନୀୟ ମୋଦି? ଜଣେ ଭାଷଣପ୍ରିୟ ବ୍ୟକ୍ତି ଭାବେ ଆପଣଙ୍କ ଭାଷଣ ଶୁଣିବାକୁ ଆମେ ଅନାଇ ବସିଥାଉ । ସଂସଦ ହେଉ ଅବା ସଭାସ୍ଥଳ କମ୍ବା ରାଜନୈତିକ ମୈଦାନ, ସବୁଠି ଆପଙ୍କର ଶଦ୍ଦର ଯାଦୁ ଛାଇଥାଏ । ହେଲେ ଆଜି କାହିଁକି ମନକୁ ଭାରି କଷ୍ଟ ହେଉଛି, କାହିଁକି ନା ଆପଣ ଆମକୁ ଗରିବ କହିଛନ୍ତି ।

ଗରିବଙ୍କୁ ନେଇ ଏବେ ଭୋଟ୍ ରାଜନୀତି ଚାଲିଛି । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଶଦ୍ଦକୋଷରୁ ଏହି ଶଦ୍ଦକୁ ବାହାର କରିବାକୁ ଅନେକ ସମୟରେ ଚେଷ୍ଟା ହୋଇଛି । ଯେତେବେଳେ ବି ଯିଏ ଶାସନ ଗାଦିକୁ ଆସିଛି, ସେ କେବଳ ଦାରିଦ୍ର୍ୟ କଥା କହିଛି । ଭୋଟ୍ ପାଇଛି, ଆଉ ସମୟକ୍ରମେ ସବୁ ଭୁଲିଛି । ନରେନ୍ଦ୍ର ମୋଦିଙ୍କୁ କେବଳ ଏତିକି ମନେ ପକାଇବାକୁ ଚାହେଁ, ଆପଣ ସଂସଦରେ କହିଥିଲେ, କଂଗ୍ରେସ ଠାରୁ ଉ ରାଧୀକାର ସୁତ୍ରରେ ଯାହା ସବୁ ବୋଝ ପାଇଛନ୍ତି, ତାକୁ ଦୂର କରିବାକୁ ଆପଣ ଚେଷ୍ଟିତ । ତାହେଲେ ବୁଝିବାକୁ ପଡିବ କି, ଓଡିଶାରେ ବିଜେପି-ବିଜେଡି ମେଂଟ ଆମକୁ ଉ ରାଧୀକାର ସୁତ୍ରରେ ଦାରିଦ୍ର୍ୟ ଦେଇଛି । ମୋର କେବଳ ଗୋଟିଏ ପ୍ରଶ୍ନ, ଲୋକଙ୍କୁ ଗରିବ କରିଛି କିଏ? ରାଜନୈତିକ ଦଳଙ୍କର କଣ ଏଥିରେ କିଛି ଭୂମିକ। ନାହିିଁ । ଶାସନ କଳରେ ରହୁଥିବା ଅଧିକାରୀଙ୍କର କିଛି ଭୁଲ ନାହିଁ? ଲୋକେ କଣ ଗରିବ ହୋଇ ରହିବାକୁ ପସନ୍ଦ କରନ୍ତି? ନା, ବାସ୍ତବତା ହେଉଛି, ଆପଣଙ୍କ ଭଳି ରାଜନେତା ଲୋକଙ୍କୁ ଗରିବ କରି ରଖନ୍ତି । କାରଣ ମାଳମାଳ ଯୋଜନା କରି, ନିର୍ବାଚନ ସମୟରେ ଅର୍ଥ ଖର୍ଚ୍ଚ କରି ଭୋଟ୍ ପାଇବାରେ ଏହା ଆପଣ ମାନଙ୍କୁ ସହାୟକ ହୋଇଥାଏ । କେବଳ ଭାଜପା ନୁହେଁ, ସବୁ ରାଜନୈତିକ ଦଳ କେବଳ ଏହି ଗୋଟିଏ ମନ୍ତ୍ରରେ ବିଶ୍ୱାସ କରନ୍ତି । ଲୋକେ ଗରିବ ହୋଇଥାନ୍ତୁ, ଆଉ ଆମେ ସେମାନଙ୍କର ଅଭାବ ଅନଟନକୁ ପାଥେୟ କରି ରାଜନୀତିର ଶୀର୍ଷରେ ପହଂଚିବୁ ।

ବୋଧହୁଏ ଭାରତରେ ଏମିତି କୌଣସି ରାଜ୍ୟ ନଥିବ, ଯେଉଁଠି ଗରିବୀ ନାହିଁ । ହେଲେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଅନ୍ୟ ଗୋଟିଏ ରାଜ୍ୟକୁ ଅପମାନିତ କରିବାର ଅଧିକାର କାହାର ନାହିଁ । ଆପଣ ଓଡିଶାରେ ଆସି, ଓଡିଶା ବାବଦରେ ତଥ୍ୟ ରଖନ୍ତୁ । ରାଜନୈତିକ ଗୋଟି ଚାଳନା କରନ୍ତୁ । ଆପଣ ଅତୀତରେ ମଧ୍ୟ ବରମୁଣ୍ଡା ପଡିଆରେ କରିଥିବା ସମାବେଶରେ ଏମିତି ଅନେକ କଥା କହିଥିଲେ । ହୁଏତ ଆପଣଙ୍କର ମନେ ନଥାଇପାରେ । ମାତ୍ର ସେତେବେଳେ ଓଡିଶାବାସୀ ପ୍ରତିକ୍ରିୟାଶୀଳ ହୋଇନଥିଲେ । ବରଂ ନବୀନ ସରକାରଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ । ଗଣମାଧ୍ୟମର ବିତର୍କ ହୋଇଥିଲା । ମାତ୍ର ଆପଣ ୟୁପିରେ, ଓଡିଶାକୁ ବଦନାମ କରି ସାଢେ ଚାରି କୋଟି ଓଡିଆଙ୍କୁ ଅପମାନିତ କରିବା ଠିକ ହୋଇନି ।

ମୋଦିଙ୍କ ବୟାନକୁ ନେଇ ବିଗିଡି ଯାଇଥିବା, ବିଜେଡି ସରକାର ମଧ୍ୟ ସମ ପରିମାଣରେ ଦାୟୀ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୋଦିଙ୍କ କଥାକୁ ନିନ୍ଦା କରୁଛି, ହେଲେ ସେମାନେ ଓଡିଶାକୁ ସର୍ବାଧିକ ସମୟ ଶାସନ କରିଛନ୍ତି । ଆଜି ଯଦି ନଗଡା, ଦାନ ମାଝୀ, ଜାପାନୀଜ ଏନସେଫାଲାଇଡଟିସ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଚର୍ଚ୍ଚା କରୁଛି, ତେବେ କାହା ପାଇଁ? ସାବୁ ରାଜନୈତିକ ଦଳ ଏହି ଗରିବ ମଂଜିକୁ ପୋତିଛନ୍ତି । ଉର୍ବର ଜମିରେ ଚାଷ କରୁଛନ୍ତି, ମଝିରେ ମଝିରେ ଯୋଜନା କରି ଗଛରେ ପାଣି ଦେଉଛନ୍ତି । ଆଉ ଭୋଟ୍ ଆକାରରେ ଫଳ ପାଉଛନ୍ତି । ବୋଧହୁଏ, ଏମିତି କୌଣସି ବି ରାଜନୈତିକ ଦଳ ନଥିବ, ଯିଏ ଗରିବଙ୍କୁ ନେଇ ରାଜନୀତି କରୁନଥିବ ।

ବୋଧହୁଏ, ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ପାଇଥିବା ସଫଳତାରେ ଆପଣ ଅତ୍ୟଧିକ ଉଲ୍ଲସିତ । ସେଥିପାଇଁ ଆପଣ ଅହଙ୍କାରରେ ଚୁର୍ ହୋଇ ଏଭଳି ବୟାନ ରଖୁଛନ୍ତି । ବାସ୍ତବତାକୁ ଆଧାର କରି ଆପଣ ରାଜନୀତି କରନ୍ତୁ । ନଚେତ କୁହୁଡିରେ ପହଁରୁ ପହଁରୁ ସମୟ ଆସିବ ଦଳ ତଳେ କଚାଡି ହୋଇ ପଡିବ । ସ୍ୱାଭିମାନ ସହ ଖେଳିଲେ, ଓଡିଶାବାସୀ କେବେ କ୍ଷମା ଦେବେନି । ବିଜେଡିର ଅହଙ୍କାର ବିରୋଧରେ ଭୋଟ୍ ବିଜେପି ସପକ୍ଷରେ ପଡିଲା । ଆଉ ଯଦି ଭାଜପାର ଶୀର୍ଷ ନେତୃତ୍ୱ ଏଭଳି ଆଭିମୁଖ୍ୟ ଗ୍ରହଣ କରନ୍ତି, ତେବେ ଏହା ବୁଝିବାକୁ ପଡିବ କି ବିକଳ୍ପ ବାଛିବାରୁ ଓଡିଶା ନିନ୍ଦିତ ହେଲା?

ଏହା ସହ ଦେଖନ୍ତୁ ମୋଦି ମାୟା ନବୀନ ବାୟା : ସମୀକ୍ଷାର ବାଟ ଖୋଜୁଛି ବିଜେଡି