ମୋଦି ମାୟା ନବୀନ ବାୟା : ସମୀକ୍ଷାର ବାଟ ଖୋଜୁଛି ବିଜେଡି

51

(ସ୍ୱୟଂପ୍ରକାଶ ମହାପାତ୍ର,କନକ ନ୍ୟୁଜ) : ୨୦୧୪ରେ ମୋଦି ହାୱା ଓଡିଶାରେ ବହିଲାନି । କୁହାଗଲା, ରାଜ୍ୟବାସୀଙ୍କୁ କେବଳ ନବୀନ ହିଁ ସାହା ଭରସା । ବିଜେଡି ବିନା ଆଉ କୈାଣସି ଦଳ ରାଜ୍ୟରେ ଉଧେଇ ପାରିବନି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଶାସନ କ୍ଷମତାକୁ ଆସିଲେ ନବୀନ । ପ୍ରତିଥର ସଫଳତାର ତାଲିକା ଲମ୍ବିଲା । ହେଲେ ରାଜନୀତିର ଚକ୍ରବ୍ୟୁହ ଯାହା ବର୍ଷକ ତଳେ ପାରାଦୀପରେ ରଚାଯାଇଥିଲା, ତାକୁ ବିଜେଡିର କୋର୍ ଟିମ୍ ବୁଝିପାରିଲାନି । ଯାହା ପ୍ରତିଫଳିତ ହେଲା ପଂଚାୟତ ନିର୍ବାଚନରେ ।

ଓଡିଶା ହେବ ପୂର୍ବ ଭାରତର ବିକାଶ ଦ୍ୱାର । କିଛି ଏଭଳି ବାର୍ତ୍ତା ଆସିଥିଲା ପାରାଦୀପରେ ଆଇଓସିଏଲର ଉଦଘାଟନୀ କାର୍ଯ୍ୟକ୍ରମରେ । ହେଲେ ତା ପୂର୍ବରୁ ରାଜ୍ୟ ରାଜନୀତିରେ ଘଟିଥିବା ଶକ୍ତି ପ୍ରଦର୍ଶନ ବିଜେପି ପାଇଁ ସୁଯୋଗ ଆଣିଦେଲା । ମୋଦିଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଜେପି ପ୍ରୟାସ କରିଥିଲା, ହେଲେ ବିଜେଡିର ଆଭିମୁଖ୍ୟକୁ ନେଇ ସେତେବେଳେ ପ୍ରଶ୍ନ ଉଠିଥିଲା । ସଭାସ୍ଥଳରେ ବିଜେପି ଅପେକ୍ଷା ବିଜେଡିର ଲୋକ ଯଥେଷ୍ଟ ଅଧିକ ଥିଲେ । ନବୀନ ନବୀନ ନାରାରେ ପ୍ରକମ୍ପିତ ହୋଇଥିଲା କାର୍ଯ୍ୟକ୍ରମ । ହେଲେ ନିଜର ଦବଦବା ଜାହିର କରିବାକୁ ବିଜେଡି ଯେଉଁ ପନ୍ଥା ଆପଣାଇଥିଲା ତାହା ଦଳର ଅହଙ୍କାର ଆଉ ମନ ଭିତରେ ଥିବା ଡରକୁ ସ୍ପଷ୍ଟ ପ୍ରମାଣିତ କରୁଥିଲା । ସଭାସ୍ଥଳରୁ ମୋଦିଙ୍କ ବାର୍ତ୍ତା ଏବଂ ବିଜେଡିର ଭୟକୁ ଆୟୁଧ କରି ବିଜେପି ତିଆରି କରିଥିଲା ରଣନୀତି । ଯାହାକୁ କେଇ ପାଦ ଆଗକୁ ନେଇ ଯାଇଥିଲା ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ, ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ନିର୍ଘାତ ମାଡ, ଶାସକ ଦଳର ଗୁଣ୍ଡାରାଜ ଆଉ ଶିଶୁଙ୍କ ଶବ ଉପରେ ରାଜନୀତି । ସୁଯୋଗକୁ ଶକ୍ତିରେ ପରିଣତ କରି ବର୍ଷକ ଭିତରେ ରାଜନୀତିର କାୟା ବଦଳାଇବାରେ ସମର୍ଥ ହେଲା ଭାଜପା । ହୁଏତ ଏହା ପଛରେ ଭିନ୍ନ ସମୀକରଣ ଥାଇପାରେ । କିନ୍ତୁ ଆଜିର ଦିନରେ ବାସ୍ତବତା ରାଜ୍ୟରେ ବିଜେପି ଦୁଇ ନମ୍ବର ଦଳ, ଶାସକ ଦଳକୁ କଡ୍ଡା ଟକ୍କର ଦେବାକୁ ପ୍ରସ୍ତୁତ ।

ବିକଳ୍ପର ଅଭାବ, ରାଜନୀତିରେ ଗୋଟିଏ ଦଳକୁ ସର୍ବ ଶକ୍ତିମାନ କରିଥିଲା । ହେଲେ ବଦଳରେ ମିଳିଥିଲା କଣ? ରାସ୍ତାରେ ଶିକ୍ଷକ, ଶହ ଶହ ଚାଷୀଙ୍କ ଆତ୍ମହତ୍ୟା, ଚିଟଫଣ୍ଡ ଜମାକାରୀଙ୍କୁ ଧୋକ୍କା, ନିଶାର ବ୍ୟାପକ ପ୍ରଚଳନ, ବ୍ରହ୍ମ ବିଭ୍ରାଟ, ତଳ ସ୍ତରରେ ଦୁର୍ନୀତି ଓ ଆସ୍ପର୍ଦ୍ଧାରେ ଭରପୁର ମନ୍ତ୍ରୀ, ବିଧାୟକ । ତିନି ପାଳିର ଶାସନ ସହ ଚତୁର୍ଥ ପାଳିକୁ ତୁଳନା କରାଗଲେ, ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ଅସମ୍ଭବ ନୀରବତା ନାନା ପ୍ରଶ୍ନବାଚୀ ତିଆରି କରିଥିଲା । ଦୁର୍ନୀତି ପ୍ରସଙ୍ଗରେ ଚୁପ୍ ରହିବା, ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନନେବା, ଧଳା କୁର୍ତ୍ତା ଉପରେ କଳାଛିଟା ପକାଇଥିଲା । ଦୁର୍ନୀତିର ଛାଇ ବନାମ ଦୁର୍ନୀତିରେ ବୁଡିଥିବା ମନ୍ତ୍ରୀ । ବିରୋଧୀ ଆରମ୍ଭ କରିଥିଲେ ଶାଣିତ ଆକ୍ରମଣ । ଓଡିଶା ଉପରେ ଫୋକସ୍ କରିଥିଲେ ବିଜେପିର ଦୁଇ ଷ୍ଟ୍ରାଟେଜୀ ମେକର । ଅମିତ ଶାହା ଓ ନରେନ୍ଦ୍ର ମୋଦି ବାରମ୍ବାର ଓଡିଶା ଗସ୍ତରେ ଆସିବା ଦଳୀୟ କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଭରିଥିଲା । ସର୍ବୋପରି ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରିବାରେ କେନ୍ଦ୍ରର ଆଗ୍ରହ ରାଜ୍ୟବାସୀଙ୍କ ମନକୁ ଜିଣିଥିଲା ।

ରାଜ୍ୟରେ ବିଜେପିକୁ ଶକ୍ତି ଭାବେ ଗ୍ରହଣ କରୁନଥିବା ବିଜେଡି ଲକ୍ଷ କରିନଥିଲା, ଭିତରେ ଭିତରେ ଏହି ସାଇନ ବୋର୍ଡ ଦଳ ନିଜର ମନୋବଳ ବୃଦ୍ଧି କରୁଛି । ଠିକ ଯେପରି ସମୁଦ୍ର ଉପରେ ଲଘୁଚାପ ରହି ନିଜକୁ ଶକ୍ତିଶାଳୀ କରେ । ବେଳେବେଳେ ପାଣିପାଗର ପୂର୍ବାନୁମାନ ଭୁଲହୁଏ, ଆଉ ଏଥର ରାଜନୀତିର ପାଣିପାଗ ବଦଳିଗଲା । ଭିତରେ ଭିତରେ ନିଜର ଶକ୍ତିବୃଦ୍ଧି କରିଥିବା ଭାଜପା କିଛି ଏମିତି ନିଜର ଲହର୍ ଆଣିଲା, ଯାହାକୁ ଶାସକ ଦଳର ନୀତି ନିର୍ଦ୍ଧାରଣ କରୁଥିବା ଟିମ୍ ବୁଝିପାରିଲାନି । ବିଜେଡିର ଯୁକ୍ତି, କଂଗ୍ରେସର ଭୋଟ୍ ବିଜେପିକୁ ଯିବାରୁ ଗେରୁଆ ଦଳ ଏତେ ସଂଖ୍ୟାରେ ସିଟ୍ ପାଇଛି । ତେବେ ଏହାର ଶ୍ରେୟ ନିଶ୍ଚିତ ଭାଜପାକୁ ଯିବ । କାରଣ, ବର୍ଷ ବର୍ଷ ଧରି କଂଗ୍ରେସ ପ୍ରତି ଆସ୍ଥା ରଖୁଥିବା ଲୋକଙ୍କୁ ଯଦି ବିଜେପି ନିଜ ପଟକୁ ନେଇ ଆସିପାରୁଛି, ତେବେ ପରିବର୍ତ୍ତିତ ପରିସ୍ଥିତିରେ ବିଜେଡି ଭୋଟ୍ ଯେ ବିଜେପି ଆଡେ ଯିବନି ଏହା କିଏ କହିବ । ଆଜି ନବୀନଙ୍କ ନେତୃତ୍ୱରେ ଦଳ ଏକ ନମ୍ବରରେ ରହିଛି, କିନ୍ତୁ ବାସ୍ତବତା ହେଉଛି, ଦଳ ୨୦୧୨ ତୁଳନାରେ ୨୦୦ ସିଟ୍ ହରାଇଛି ।

ବିଜେଡିର ଗୋଟିଏ ଗୋଷ୍ଠୀର ଯୁକ୍ତି ହେଉଛି, ପଂଚାୟତ ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନ ଉପରେ ପଡେନାହିଁ । ହୁଏତ ଦଳର ମୁଖିଆଙ୍କୁ ବୁଝାଇବାକୁ ଏହି ପଦିଏ କଥା ଯଥେଷ୍ଟ । ୨୦୦୭ର ପରିସଂଖ୍ୟାନ ସହ ଏହା ଦୃଢ ଭାବେ କୁହାଯାଇପାରେ । ହେଲେ ସତ ହେଉଛି, ପଂଚାୟତ ନିର୍ବାଚନରେ ଭୋଟର ସଂଖ୍ୟା ଅଢେଇ କୋଟିରୁ ଅଧିକ ଥିଲା । ୨ କୋଟିରୁ ଅଧିକ ଲୋକ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ୨୦୧୯ ବେଳକୁ କଣ ଏମାନେ ନିଜର ମତାଧିକାର ସାବ୍ୟସ୍ତ କରିବେନି? ଏମାନେ କଣ ୨ ବର୍ଷ ଭିତରେ ଭୁଲିଯିବେ, ଶାସକ ଦଳର ଅହଂକାର ବିରୋଧରେ ସେମାନେ ମତ ଦେଇଥିଲେ । ମନ୍ତ୍ରୀ, ବିଧାୟକଙ୍କୁ ସେମାନେ ଶିକ୍ଷା ଦେଇଥିଲେ । ବାସ୍ତବତା ଠାରୁ ଦୂରେଇ ରହିବା ଶାସକ ଦଳ ପାଇଁ ଆହୁରି ଘାତକ ହୋଇପାରେ । ବିଜେଡି କହୁଛି, ଏତେ ପରିମାଣରେ ଟଙ୍କା ଭାଜପା ବ୍ୟବହାର କଲା, ତାର ଆଖପାଖ ବିଜେଡି ପହଂଚି ପାରିଲାନି । ସେମାନଙ୍କୁ ଗୋଟିଏ ପ୍ରଶ୍ନ, ୨୦୧୪ ନିର୍ବାଚନରେ ଶାସକ ଦଳର ଟଙ୍କା ଧରିଥିବାରୁ ତତ୍କାଳୀନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ଅବସ୍ଥା କଣ କରିଥିଲେ । ତେଣୁ କେଉଁ ରାଜନୈତିକ ଦଳ ଟଙ୍କା ଖର୍ଚ୍ଚ କରୁଛି, ତାର ବିତର୍କ ଆରମ୍ଭ କରିବା ଆଗରୁ ବିଜେଡିର ନେତା ମାନେ ଆଗ ନିଜକୁ ସମୀକ୍ଷା କରିବା ଦରକାର ।

ପଂଚାୟତ ନିର୍ବାଚନ ଦଳକୁ ଶିକ୍ଷା ଦେଇଛି । ନଚେତ ୨୦୧୯ ବେଳକୁ ଦଳ ବିପର୍ଯ୍ୟୟ ସାମ୍ନା କରିଥାନ୍ତା । ନେତାଙ୍କ ଭିତରେ ବଢିଥିବା ଅହଙ୍କାର ସେତେବେଳେ ଦଳକୁ ତଳିତଳାନ୍ତ କରିଦେଇଥାନ୍ତା । ନବୀନ ଜାଣିଗଲେ, କେଉଁ ନେତା ତାଙ୍କ ନାଁରେ ବଳିୟାନ ହୋଇ ଉଡୁଥିଲେ ଆଉ କିଏ କର୍ମୀଙ୍କ ସହ ରହି ଦଳ ପାଇଁ କାର୍ଯ୍ୟ କରୁଥିଲେ । ଆଗାମୀ ନିର୍ବାଚନ ସମୟରେ ଟିକେଟ ପାଇବାର ମାପକାଠି ହେବ ପଂଚାୟତ ପ୍ରଦର୍ଶନ ।

ରାଜ୍ୟରେ ୧୭ ବର୍ଷ ଧରି ଚାଲି ଆସୁଥିବା ଗତାନୁଗତିକ ରାଜନୀତିର ଧାରାରେ ପରିବର୍ତ୍ତନ ହୋଇଛି । ୨୦୧୯ ପାଇଁ ବିଜେପି ଗୋଟି ଚାଳନା ଆରମ୍ଭ କରିସାରିଲାଣି । ହେଲେ ବଲ୍ ଅଟକିଛି ନବୀନଙ୍କ କୋର୍ଟରେ । ଦଳ ସମୀକ୍ଷାର ଆବଶ୍ୟକତା କରୁଛି । କଣ ତର୍ଜମା ହେବ ଉଣା ଅଧିକେ ସମସ୍ତଙ୍କୁ ଜଣା । ଦଳକୁ ନିୟନ୍ତ୍ରଣ କରୁଥିବା ଅମଲା ଗୋଷ୍ଠୀ କିଛି ପରିବ ର୍ନ ପାଇଁ ମୁଖିଆଙ୍କୁ ବୁଝାଇବେ । ମନ୍ତ୍ରୀମଣ୍ଡଳରେ ଆଉ ପ୍ରଶାସନିକ ସ୍ତରରେ ଅଦଳ ବଦଳ ହୋଇଯିବ । ୨ ବର୍ଷ ପାଇଁ ମିଶନ ମୋଡରେ ସମସ୍ତଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦିଆଯିବ । ହେଲେ ଏହା କଣ ବିଜେଡିର ଭାଗ୍ୟ ବଦଳାଇପାରିବ । ଯେଉଁ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ସହ ଶାସକ ଦଳ ଖେଳ ଖେଳୁଥିବ, ଆଉ ପ୍ରସଙ୍ଗରୁ ଦୂରେଇ ଯାଇ ଆରୋପ ପ୍ରତ୍ୟାରୋପର ରାଜନୀତି କରୁଥିବ, ସେପର୍ଯ୍ୟନ୍ତ ଏହି ବତାସ ଥମିବାର ସମ୍ଭାବନା କମ୍ ।

ଏହାସହ ମଧ୍ୟ ପଢନ୍ତୁ – ଔଦ୍ଧତ୍ୟ ଉଜାଡିଦେଲା! ୧୭ ବର୍ଷ ଧରି ଶଙ୍ଖ ଉପରେ ବାଜୁଥିବା ମୋହର ଏଥର ଭାଗ ଭାଗ