ଆଜିଠୁ ମୋଦିଙ୍କ ଦ୍ୱିତୀୟ ଇନିଂସ : ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି, ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

98

କନକ ବ୍ୟୁରୋ : ଆଜି ଠାରୁ କେନ୍ଦ୍ରରେ ମୋଦି ସରକାରଙ୍କ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଇନିଂସ । ପ୍ରଚଣ୍ଡ ଜନମତ ପାଇ ନିର୍ବାଚନରେ ବିଜୟଲାଭ କରିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ । ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଶପଥ ଉତ୍ସବକୁ ଐତିହାସିକ ବିଜୟଉତ୍ସବ ଭାବେ ପାଳନ କରିବାପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସକାଳେ ମୋଦି ୭ଟା୧୫ରେ ରାଜଘାଟ ଯିବେ । ସେଠାରେ ସେ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାପରେ ସକାଳ ୭ଟା୩୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଏବଂ ୭ଟା୪୫ରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ପ୍ରାୟ ୬ ହଜାର ଅତିଥି ଯୋଗ ଦେବେ । ପାକିସ୍ତାନ ବ୍ୟତୀତ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି । ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର,ଥାଇଲ୍ୟାଣ୍ଡ, କିରଗିଜସ୍ଥାନ, ମାଳଦ୍ୱିପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେବାପାଇଁ ସହମତି ପ୍ରଦାନ କରିଛନ୍ତି । ସେହିପରି ବିମଷ୍ଟେକ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ବିଦେଶ ରାଷ୍ଟ୍ରମୁଖ୍ୟଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ବିଜେପି ଶାସିତ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହି ଉତ୍ସବରେ ଯୋଗ ଦେବେ । ତେବେ ଏହି ଶପଥ ଗ୍ରହଣ ପାଇଁ ମୋଦିଙ୍କୁ ଶୁଭେଛା ଜଣାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଦୁଇ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ନବୀନ ।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ଦିଦି । ଏହି ସମାରୋହରେ ସାମିଲ ହେବା ନେଇ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସ୍ପଷ୍ଟ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବେନାହିଁ ବୋଲି ମଙ୍ଗଳବାର କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ସେ ଏଥିରୁ ଦୂରେଇ ରହୁଥିବା ନେଇ ନିଷ୍ପତି ନେଇଥିବା ନିଜ ଟ୍ୱିଟରେ ଲେଖିଛନ୍ତି । ଶପଥ ସମାରୋହକୁ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାରେ ନିହତ ବିଜେପି କର୍ମୀଙ୍କ ପରିବାରବର୍ଗଙ୍କୁ ସାମିଲ କରାଯିବାକୁ ସେ ବିରୋଧ କରିଛନ୍ତି । ପଶ୍ଚିମବଙ୍ଗରେ ବିଜେପିର ୫୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ବିଜେପି କହୁଥିବା ବେଳେ ଏହା ସତ୍ୟ ନୁହେଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ନିମନ୍ତ୍ରଣ ମିଳିଥିବା ବିଜେପି କର୍ମୀଙ୍କ ପରିବାର ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସୁଯୋଗ ଏବଂ କିଏ ବାଦ ପଡିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି । ଏହା ଉପରୁ ସସପେନ୍ସ ଉଠିନଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମନ୍ତ୍ରୀ ପଦରେ ନରହିବାର ସମ୍ଭାବନା ଅଛି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଅରୁଣ ଜେଟଲୀ, ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ମନ୍ତ୍ରୀ ପଦ ନଦେବା ପାଇଁ ଚିନ୍ତା କରାଯାଉ ବୋଲି ଜେଟଲୀ ଏହି ଚିଠିରେ ଲେଖିଛନ୍ତି । ତେବେ ଅରୁଣ ଜେଟଲୀଙ୍କ ସ୍ଥାନରେ ଅର୍ଥ ମନ୍ତ୍ରୀ ଦାୟିତ୍ୱ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଔପଚାରିକ ଭାବେ ଅନୁରୋଧ କରିବା ପାଇଁ ଏହି ଚିଠି ଲେଖୁଥିବା ଜେଟଲୀ ଉଲ୍ଲେଖ କରିଛନ୍ତି । ଏସବୁ ସତ୍ୱେ ତାଙ୍କୁ ବୁଝାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏନଡିଏ ମେଂଟ ସହଯୋଗୀ ଜେଡିୟୁ, ଅକାଳି ଦଳ, ଶିବସେନା ଏବଂ ଏଲଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବ କୁହାଯାଉଛି । ସେହିପରି ଉତର ପ୍ରଦେଶରେ ଆପନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଯୋଗ ଦେଇପାରନ୍ତି ମୋଦି କ୍ୟାବିନେଟରେ । ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀ ମଣ୍ଡଳରେ ରାଜ୍ୟକୁ ଗୁରୁତ୍ୱ ଦିଆଯାଇପାରେ । କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ମନ୍ତ୍ରୀମଣ୍ଡଳରେ ଏଥର ସୁଯୋଗ ମିଳିନପାରେ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୬୫ଜଣ ସଦସ୍ୟ ରହିବେ । ନୂଆ ବିଜେପି ସାଂସଦଙ୍କ ମଧ୍ୟରୁ ୪୦ ପ୍ରତିଶତ ସଦସ୍ୟଙ୍କୁ ମୋଦିଙ୍କ ଟିମରେ ସୁଯୋଗ ମିଳିବ ବୋଲି କୁହାଯାଉଛି ।