ଜୁଲାଇରେ ଆସିବ କରୋନା ଟୀକା ? ସଂକ୍ରମିତଙ୍କ ପାଇଁ ଆମେରିକାରୁ ଆସିଲା ବଡ ଖବର । ଜୁଲାଇ ଶେଷ ସୁଦ୍ଧା ଆସିପାରେ ପ୍ରତିଷେଧକ ଟୀକା । ଦାବି କଲା ଆମେରିକାର ମଡ଼େର୍ଣ୍ଣା କମ୍ପାନୀ

1,517

କନକ ବ୍ୟୁରୋ : ମହାମାରୀ କରୋନା ସାରା ବିଶ୍ୱରେ ଯେଉଁ ଆତଙ୍କ ଖେଳାଇଛି, ତା କବଳରୁ କେବେ ମୁକ୍ତି ମିଳିବ ତାକୁ ମଣିଷ ସମାଜ ଅପେକ୍ଷା କରି ରହିଛି । ଗତ ବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାର କରିବାକୁ ଜୋରଦାର ଚାଲିଛି ଗବେଷଣା । ଆଉ ଏହାରି ଭିତରେ କରୋନା ଆକ୍ରାନ୍ତଙ୍କ ପାଇଁ ଆମେରିକାରୁ ଆସିଛି ବଡ ଖବର । ବିଶ୍ୱରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଆମେରିକାରେ ରହିଛନ୍ତି । ଆଉ ସେ ଆମେରିକାର ମଡ଼େର୍ଣ୍ଣା କମ୍ପାନୀ କହିଛି ଜୁଲାଇ ଶେଷ ସୁଦ୍ଧା ବଜାରକୁ ଆସିଯିବ କରୋନାର ପ୍ରତିଷେଧକ ଟିକା ।

ଆମେରିକାର ବାୟୋଟେକ କମ୍ପାନୀ ମଡ଼େର୍ଣ୍ଣା ଦ୍ୱାରା ପ୍ରସ୍ତୁତ ପ୍ରତିଷେଧକ ଟିକା ପରିକ୍ଷଣ ପର୍ଯ୍ୟାୟରେ ପହଁଚିଛି । ଏହି ପରୀକ୍ଷଣ ଜୁଲାଇ ମାସରେ କରିବା ପାଇଁ ଘୋଷଣା କରିଛି । ଜୁଲାଇ ମାସରେ ପ୍ରାୟ ୩୦ ହଜାର ଲୋକଙ୍କ ଉପରେ ଏହି ଟିକା ପରିକ୍ଷଣ କରାଯିବ । ଶେଷ ପର୍ଯ୍ୟାୟ ପରିକ୍ଷଣ ପାଇଁ ଏହି ଟୀକାର ଶହେ ମାଇକ୍ରୋଗ୍ରାମ ଡ଼ୋଜର ପ୍ରସ୍ତୁତ ହୋଇଛି । ଏହା ସହ କମ୍ପାନୀ ପ୍ରତି ବର୍ଷ ୫୦ କୋଟି ଡ଼ୋଜ ଡ଼େଲିଭରୀ କରିବା ପାଇଁ ପ୍ରସ୍ତୁତି କରିଛି । କମ୍ପାନୀ ଏହି ଡ଼ୋଜ ସ୍ୱିସ ଡ଼୍ରଗମେକର ଲୋନଜା ସହ ମିଳିତ ଭାବେ ପ୍ରସୁତି କରୁଛି । ଏହି ଟୀକା ପରିକ୍ଷଣରେ ସଫଳ ହେଲେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ କରିବାରେ ଏହା ସହାୟକ ହେବ ବୋଲି କମ୍ପାନୀ ଆଶା ରଖିଛି ।