ବିଏମସି ଆରମ୍ଭ କରିବ ମୋବାଇଲ ଭେଣ୍ଡିଂ ସେବା : ଫୁଡ୍ ଭେଣ୍ଡର ଗୁଡିକୁ ପରିବା ଓ ଗ୍ରୋସରୀ ଭେଣ୍ଡରରେ ପରିଣତ କରାଯିବ, ପରିବା ଓ ଗ୍ରୋସରୀ ବ୍ୟବସାୟ କରିବେ ଷ୍ଟ୍ରିଟଫୁଡ୍ ବ୍ୟବସାୟୀ

715

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ବିଏମସିର ସ୍ୱାଗତଯୋଗ୍ୟ ପଦକ୍ଷେପ । ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି ।  ରାଜଧାନୀରେ ଲୋକଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ମିଳିବ ପନିପରିବା ଓ ଗ୍ରୋସରୀ ସାମଗ୍ରୀ । ଏଥିପାଇଁ ବିଏମସି ଆରମ୍ଭ କରିବାକୁ ଯାଉଛି ମୋବାଇଲ୍ ଭେଣ୍ଡିଂ ସେବା । ଯେଉଁମାନେଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟ କରୁଥିଲେ ସେମାନେ ଏବେ ପନିପରିବା ଓ ଗ୍ରୋସରୀ ସାମଗ୍ରୀ ବ୍ୟବସାୟ କରିବେ । ଆଗକୁ ଫୁଡ୍ ଭେଣ୍ଡର ଗୁଡିକୁ ପରିବା ଓ ଗ୍ରୋସରୀ ଭେଣ୍ଡରରେ ପରିଣତ କରାଯିବ  । ହାଟରେ ସାମଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୟୁନିଟ-୧ ହାଟକୁ ସ୍ଥାନାନ୍ତର କରାଯାଇଛି । ଜଣେ ବ୍ୟବସାୟୀଙ୍କ ଠାରୁ ଆଉ ଜଣେ ବ୍ୟବସାୟୀଙ୍କ ମଧ୍ୟରେ ୨୫ ମିଟର ଦୂରତା ରହିବ । ଏହା ଜରିଆରେ ଭିଡ କମ୍ ହେବ ।

ହାଟରେ ସାମାଜିକ ଦୂରତା ରକ୍ଷା ବି ସହଜ ହେବ । ଏପରି ନିଷ୍ପତି ନେଇଛି ଭୂବନେଶ୍ୱର ମହାନଗର ନିଗମ । ଆସନ୍ତା ୪୫ ଦିନ ପାଇଁ ଏହି ଦୁଇ ସ୍ଥାନରେ ଚାଲିବ ହାଟ । ପନିପରିବା ବଜାରରେ ସାମାଜିକ ଦୂରତ୍ୱ ବଜାୟ ରକ୍ଷା ହୋଇପାରୁନଥିବାରୁ ଏହାକୁ ନେଇ ଆଗକୁ ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ । ପରେ ସବୁ ମାର୍କେଟକୁ ବିକେନ୍ଦ୍ରୀକରଣ କରାଯିବାର ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧରୀ ।

ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ବ ରକ୍ଷା କରିବା ଅନିବାର୍ଯ୍ୟ । ହେଲେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟବେଳେ ସାମାଜିକ ଦୂରତ୍ବ ରକ୍ଷା ନକରି ଭିଡ଼ ସୃଷ୍ଟି କରୁଛନ୍ତି । ଫଳରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସମସ୍ତ ଅଞ୍ଚଳରେ ୫ ରୁ ୧୦ଟି ଦୋକାନ ଖୋଲିବା ପାଇଁ ଅନୁରୋଧ କରାଯାଇଛି । ଆଉ ଏଥିପାଇଁ ଷ୍ଟ୍ରିଟଫୁଡ଼୍ ବ୍ୟବସାୟୀ ଓ ଫୁଡ଼ଭେଣ୍ଡର ମାନେ ରାଜି ହୋଇଛନ୍ତି । ଯଦ୍ୱାରା ଚଲାବାଟରେ ଫଳ ପନିପରିବା ପାଇପାରିବେ ସାଧାରଣ ଜନତା ।

ଅନ୍ୟପଟେ ରାଜଧାନୀର ସବୁ ସ୍ଥାନରେ ରେଖାଙ୍କିତ ଚିହ୍ନ ବ୍ୟବସ୍ଥା କରାଯିବ । କୌଣସି ବି ପରିସ୍ଥିତିରେ ଭିଡ଼ ନ କରି ଯଥାସମ୍ଭବ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି । ମାର୍କେଟ ଆସୋସିଏସନ୍ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛି ବିଏମସି ।