ଆବର୍ଜନା ମୁକ୍ତ ହେବ ସ୍ୱର୍ଣ୍ଣାଭ ପୁରୀ ବେଳାଭୂମି : ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ମୋ ବିଚ୍ ଅଭିଯାନ, ଗୋଟିଏ ଦିନରେ ସଫାହେଲା ୧.୫ କିମି ପରିଧି ଅନ୍ତର୍ଗତ ୨୫୦ କେଜି ମଇଳା

184

କନକ ବ୍ୟୁରୋ : ନୂଆରୂପ ନେବ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି । ବେଳାଭୂମିକୁ ପ୍ରଦୂଷଣମୁକ୍ତ ଓ ପରିସ୍କାର ପରିଚ୍ଛନ ରଖିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଜିଲ୍ଲାପାଳ । ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ଦ୍ବିତୀୟରେ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି । ଶ୍ରୀକ୍ଷେତ୍ରରେ ପାଦ ଥାପିବା ପରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ମହାପ୍ରଭୁଙ୍କ ଦର୍ଶନଲାଭ ପରେ ଛୁଟିଯାଆନ୍ତି ବେଳାଭୂମିର ନୈସର୍ଗିକ ଶୋଭାରାଜି ଉପଭୋଗ କରିବାକୁ । ପୁରୀରେ ପର୍ଯ୍ୟଟକ ସଂଖ୍ୟା ଯେତିକି ବଢ଼ୁଛନ୍ତି, ବେଳାଭୂମିରେ ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି । ମୋ ବିଚ୍ ଯୋଜନା ମାଧ୍ୟମରେ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ । ଆଉ ଏହାର ନେତୃତ୍ୱ ନେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।

ସ୍ୱଚ୍ଛ ଓ ସୁନ୍ଦର ହେବ ପୁରୀ ବେଳାଭୂମି । ଜୋରସୋରେ ଲାଗିପଡ଼ିଛନ୍ତି ପୁରୀ ଜିଲ୍ଲାପାଳ । ୨୦୦୭ ବ୍ୟାଚର ଏହି ଆଇଏଏସ ଅଧିକାରୀ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ପୁରୀରେ ସଫେଇ ଓ ଫୋନି ପରର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବଲୱନ୍ତ ସିଂ । ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ବେଳାଭୂମି ସଫେଇ ଅଭିଯାନ । ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ପୁରୀ ବେଳାଭୂମି ସଫେଇ କରିଛନ୍ତି ଜିଲ୍ଲାପାଳ । ଲାଇଟ୍ ହାଉସ ଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ପାଖାପାଖି ୧. ୫ କିମି ପରିଧି ଭିତରେ ୨୫୦ କେଜି ଆବର୍ଜନା ସଫା ହୋଇଛି ।

ବିଭିନ୍ନ ସମୟରେ ପୁରୀରେ ଆବର୍ଜନା ନିଷ୍କାସନକୁ ନେଇ ଅନେକ ସମସ୍ୟା ଥିବା ବେଳେ ପୁରୀ ଜିଲ୍ଳାପାଳଙ୍କ ଫୋକସରେ ରହିଛି ଆବର୍ଜନା ମୁକ୍ତ ସହର । ଏମିତିକି ପୁରୀକୁ ଡଷ୍ଟବିନ ଫ୍ରି କରିବା ପାଇଁ ଅଭିନବ ଉଦ୍ୟମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ବେଳାଭୂମି ସଫେଇ କରିଛନ୍ତି । ଲୋକଙ୍କୁ ବେଳାଭୂମିକୁ ସଫା କରିବା ପାଇଁ ଉତ୍ସାହିତ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି  ସୁଦର୍ଶନ ପଟ୍ଟନାୟକ।