ବିଜେଡ଼ି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ : ପୌର ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନ ନେଇ ହୋଇପାରେ ଆଲୋଚନା

94

କନକ ବ୍ୟୁରୋ : ନବୀନଙ୍କ ପଞ୍ଚମ ପାଳିର ବିଧାୟକଙ୍କୁ ଆଜି ଟିପ୍ସ ଦେବେ ସୁପ୍ରିମୋ । ନବୀନ ନିବାସକୁ ସମସ୍ତ ୧୧୧ ବିଜେଡ଼ି ବିଧାୟକଙ୍କୁ ଡକରା ହୋଇଛି । ସାଢ଼େ ୧୦ଟା ପରଠାରୁ ଷୋଡ଼ଷ ବିଧାନସଭାର ବିଧାୟକଙ୍କ ସହ ଆଲୋଚନା କରିବେ ବିଜେଡ଼ି ସୁପ୍ରିମୋ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମେ ନବନିର୍ବାଚିତ ବିଧାୟକ ତା’ପରେ ପୁରୁଣା ବିଧାୟକଙ୍କ ସହ ଆଲୋଚନା କରିବେ ବିଜେଡ଼ି ସୁପ୍ରିମୋ । ଦଳର ସାଙ୍ଗଠନିକ ସ୍ଥିତି ନେଇ ନବୀନ ନିବାସରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ବିଧାୟକଙ୍କୁ ଆଜି ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ସମସ୍ତ ନୂଆ ଓ ପୁରୁଣା ବିଧାୟକଙ୍କୁ ଆଜି ଅଚାନକ ନବୀନ ନିବାସ ଡକାଯାଇଛି । ଆଉ କିଛି ସମୟ ପରେ ସାଢେ ଏହି ବୈଠକ ଆରମ୍ଭ ହେବ । ଲଗାତାର ପଞ୍ଚମ ଥର ପାଇଁ ସରକାର ଗଢ଼ିଛି ବିଜୁ ଜନତା ଦଳ । ଦଳର ବିଭିନ୍ନ ସଙ୍ଗଠନ ଯେମିତିକି ଯୁବ, ଛାତ୍ର ଓ ମହିଳା ବିଜେଡିର ନେତୃତ୍ବ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କିଛି ବିଧାୟକଙ୍କୁ ନୂଆ ଦାୟିତ୍ବ ଦେଇପାରନ୍ତି ନବୀନ ।

ତେବେ ବୈଠକର ଏଜେଣ୍ଡା କଣ ରହିଛି ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ବୈଠକରେ ବିଜେଡି ସୁପ୍ରିମୋ ନୂଆ ଓ ପୁରୁଣା ବିଧାୟକଙ୍କୁ କି ମନ୍ତ୍ର ଦେବେ ସେ ଉପରେ ସମସ୍ତଙ୍କ ନଜର ରହିଛି । ଆଗକୁ ରହିଛି ପୌର ନିର୍ବାଚନ । ତେଣୁ ଦଳୀୟ ସଙ୍ଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସବୁ ବିଧାୟକଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିପାରନ୍ତି । ପାଟକୁରା ଓ ବିଜେପୁର ଉପନିର୍ବାଚନ ଉପରେ ବି ଆଲୋଚନା ହୋଇପାରେ ।