ନୂଆ ରୂପ ପାଇବ ଭୁବନେଶ୍ୱର ଏମଏଲଏ କଲୋନି : ଆଜିଠାରୁ ଭଙ୍ଗା ଯିବ ପୁରୁଣା କୋଠା, ନିର୍ମାଣ ହେବ ବହୁତଳ ବିଶିଷ୍ଟ ଫ୍ଲାଟ୍

ଏମଏଲଏ କଲୋନିରେ ଜିମ୍, ସୁଇମିଂ ପୁଲ ଓ ପାର୍କ ଭଳି ରହିବ ଅତ୍ୟାଧୁନିକ ସୁବିଧା । ନିର୍ମାଣ ହେବ ୧୦ ମହଲା ବିଶିଷ୍ଟ ବହୁତଳ ପ୍ରାସାଦ । ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ କ୍ବାର୍ଟର୍ସ

218

କନକ ବ୍ୟୁରୋ : ଆଜି ଠାରୁ ଭଙ୍ଗାଯିବ ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସ । ଏହା ଭିତରେ ରହିଛି ୪୨ଟି ଏଫ୍ ଓ ଆର୍ ଟାଇପ୍ ପୁରୁଣା ଏମ୍ଏଲଏ କ୍ୱାଟର୍ସ । ଆଉ ସେହି ଜାଗାରେ ଖୁବ୍ ଶୀଘ୍ର ବିଧାୟକଙ୍କ ରହିବା ପାଇଁ ବହୁତଳ ବିଶିଷ୍ଟ ଫ୍ଲାଟ୍ ତିଆରି କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୪୨ଟି ପୁରୁଣା ବିଧାୟକ କ୍ବାର୍ଟର୍ସ ଭଙ୍ଗାଯିବ। ଏହି ଟାୱାର ଗୁଡ଼ିକରେ ଏକାଧିକ ୯ ଓ ୧୦ ମହଲା କୋଠା ତିଆରି ହେବ । ନୂତନ ବିଧାୟକ କଲୋନିରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ଉପର ମହଲାରେ ବିଧାୟକମାନଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରାଯିବ। ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ କ୍ବାର୍ଟର୍ସ ଯୋଗାଇଦିଆଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ। ବାକି କ୍ବାର୍ଟର୍ସକୁ ଅତିଥିମାନଙ୍କ ପାଇଁ ସଂରକ୍ଷଣ ରଖାଯିବ । ଖାଲି ସେତିକି ନୁହେଁ, ଟେନିସ୍ କୋର୍ଟ ଓ ବ୍ୟାଡ ମିଣ୍ଟନ ଖେଳିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲମିଟେଡ଼ (ଓବିସିସି)କୁ ଦାୟିତ୍ବ ଦିଆଯାଇଛି । ଆସନ୍ତା ବର୍ଷକ ଭିତରେ ନୂତନ ଏମ୍ଏଲ୍ଏ କଲୋନି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଆଉ ୬ ମାସ ସମୟ ଦିଆଯିବ ।

ପୁରୁଣା କଲୋନିରେ ଥିବା ପୁଲିସ ଷ୍ଟେସନ୍, ପୋଷ୍ଟ୍ ଅଫିସ, ରେଳ ବୁକିଂ ଅଫିସକୁ ଭଙ୍ଗାଯାଇ ସେ ସ୍ଥାନରେ ନୂଆ କରି ସେସବୁ ନିର୍ମାଣ କରାଯିବ । ନୂତନ ଏମ୍ଏଲ୍ଏ କଲୋନିରେ ପ୍ରତି ବ୍ଲକ ସଂଯୋଗ ପାଇଁ ୨୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ବୈଠକରେ ପୂର୍ତ୍ତ ସଚିବଙ୍କ ସମେତ ଓବିସିସି ପରିଚାଳନା ନିର୍ଦ୍ଦେଶକ, ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ୍ ନିର୍ଦ୍ଦେଶକ, ବିଧାନସଭା ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟରେ ଯେଉଁ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ସେମାନଙ୍କ ବିଜୁଳି ଓ ପାଣି କାଟି ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ପୁରୁଣା ଚେତାବନୀ ସଂପର୍କରେ କହିଛନ୍ତି- ଏହି ନିର୍ଦ୍ଦେଶ ବିଧାନସଭା ଏମଏଲଏ କ୍ୱାର୍ଟର୍ସ ପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ଅନଧିକୃତ ଜିଏ କ୍ୱାର୍ଟର୍ସ ସଂପର୍କରେ ନିଷ୍ପତ୍ତି ସାଧାରଣ ପ୍ରଶାସନ ବିଭାଗ ନେଇପାରିବ ।