କରୋନା ମୁକାବିଲାରେ ସାମିଲ୍‌ ହୋଇଛି ମିସନ୍ ଶକ୍ତି : କାମରେ ଲାଗିଛନ୍ତି ୬ ଲକ୍ଷ ଏସ୍‌ଏଚ୍‌ଜିର ୭୦ ଲକ୍ଷ ମହିଳା

Advertisment
କରୋନା ମୁକାବିଲାରେ ସାମିଲ୍‌ ହୋଇଛି ମିସନ୍ ଶକ୍ତି : କାମରେ ଲାଗିଛନ୍ତି ୬ ଲକ୍ଷ ଏସ୍‌ଏଚ୍‌ଜିର ୭୦ ଲକ୍ଷ ମହିଳା

କନକ ବ୍ୟୁରୋ : କରୋନା ମୁକାବିଲାରେ ମିସନ୍ ଶକ୍ତି ଏବେ ଓଡ଼ିଶା ଶକ୍ତି ଭାବେ କାମ କରୁଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟା କାମରେ ଲାଗିଛନ୍ତି । ମିସନ୍ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ତତ୍ତ୍ବାବଧାନରେ ଏହି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି । କରୋନା ମୁକାବିଲା ପାଇଁ ପ୍ରସ୍ତୁତ ସଚେତନତା ପୋଷ୍ଟରଗୁଡ଼ିକ ୭୦ ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀଗୁଡ଼ିକୁ ସଚେତନ କରୁଛନ୍ତି । କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ଏସ୍‌ଏଚ୍‌ଜି ମାଧ୍ୟମରେ ବଣ୍ଟନ ହୋଇଛି ।

ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ପୂର୍ବରୁ ସ୍କୁଲ୍‌ ପୋଷାକ ସିଲେଇର ଅଭିଜ୍ଞତା ଥିଲା, ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପାଖାପାଖି ୪୦୦ ଏସ୍‌ଏଚ୍‌ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି, ଯାହା କି ଏହି ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି । ଏସ୍‌ଏଚ୍‌ଜିଗୁଡ଼ିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତୀତ ବ୍ୟାଙ୍କ, ପୁଲିସ ଓ ଗ୍ରାମ୍ୟ ସ୍ବାସ୍ଥ୍ୟକର୍ମୀମାନେ ୬ ଲକ୍ଷ ମାସ୍କ କିଣିଛନ୍ତି । ସେହିପରି ଲୋକଙ୍କ ନିକଟରେ ରାସନ୍ ଓ ପନିପରିବା ପହଞ୍ଚାଇବା କ୍ଷେତ୍ରରେ ଏସ୍‌ଏଚ୍‌ଜିଗୁଡ଼ିକ ମୁଖ୍ୟ ଭୂମିକା ନେଇଛନ୍ତି ।

ପ୍ରାୟ ୫୦୦ ଏସ୍‌ଏଚ୍‌ଜି ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ୍, ପନିପରିବା ଓ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି। କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‌ଏଚ୍‌ଜି ସଦସ୍ୟାମାନେ ‌େଲାକଙ୍କ ଘରେ ନେଇ ମଧ୍ୟ ରାସନ୍ ସାମଗ୍ରୀ ପହଞ୍ଚାଉଛନ୍ତି। ଲକ୍‌ ଡାଉନ୍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ। ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ବ ଏସ୍‌ଏଚ୍‌ଜିଙ୍କୁ ଦେଇଛନ୍ତି। ଆଜି ସୁଦ୍ଧା‌ ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‌ ଯୋଗାଇଥିବା ବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ଟି ମିଲ୍‌ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe