ରାୟଗଡାରୁ ଆସିଲା ଅଭାବନୀୟ ଘଟଣା : ବହି ପୋଡ଼ିବା ସହ ମ୍ୟାଟ୍ରିକ ଛାତ୍ରୀଙ୍କୁ ଆକ୍ରମଣ, ପରୀକ୍ଷା ଦେଲେ ଛୁରା ମାରିଦେବେ ବୋଲି ଧମକ ଦେଲେ ଦୁର୍ବୃତ୍ତ

805

କନକ ବ୍ୟୁରୋ : ଘରେ ପିଶିଲେ ମୁଖା ପିନ୍ଧା ଦୁର୍ବୃତ୍ତ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଛୁରା ଦେଖାଇ ମାରିଦେବାକୁ ଧମକ ଦେବାସହ ବହିପତ୍ର ପୋଡ଼ି ଦେଇଛନ୍ତି । ଆଖି ସାମ୍ନାରେ ଜଳିଗଲା ପାଠ୍ୟ ପୁସ୍ତକ । ଆଗକୁ ଦଶମ ପରୀକ୍ଷା । ବର୍ଷକର ପାଠ୍ୟପୁସ୍ତକ ଓ ପରିଶ୍ରମ କରି ତିଆରି କରିଥିବା ନୋଟ୍ ସବୁ କିଛି ପାଉଁଶ ହୋଇଯାଇଛି । ଘଟଣାକୁ ନେଇ ପୁରା ଭୟଭୀତ ହୋଇପଡିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ଜଣକ । ରାୟଗଡା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ୍ ଅଂଚଳରେ ଘଟିଛି ଏପରି ଘଟଣା ।

ସଂପୃକ୍ତ ଛାତ୍ରୀ ଜଣକ ଭଲ ପାଠ ପଢନ୍ତି । ତାଙ୍କର ବାପା ଜଣେ ଡାକ୍ତର ଓ ମାଆ ଜଣେ ଶିକ୍ଷୟିତ୍ରୀ । ଘରେ ସେ ଏକା ଥିବା ବେଳେ ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଶି ଘଟାଇଛନ୍ତି ଏମିତି କାଣ୍ଡ । ବହି ଖାତା ପୋଡିବା ପରେ ବେକରେ ଛୁରୀ ଲଗାଇ ଧମକ ଦେଇ ଯାଇଛନ୍ତି ପରୀକ୍ଷା ଦେଲେ ଜୀବନରୁ ମାରିଦେବେ । ଚାନ୍ଦିଲି ଥାନାରେ ଏତଲା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ସହାୟତାରେ ଆରମ୍ଭ କରିଛି ତଦନ୍ତ ।  ଏପରି ଘଟଣା ପଛରେ କାହାର ହାତ କିଛି ଜଣାପଡିନି ।