ଅଦୃଶ୍ୟ ଭାଇରସର ଅଜଣା ଭୟ ଭିତରେ ଖାକି ବର୍ଦ୍ଦିର ଜୁଲମ୍ । ଭିଡ଼ ଭିତରେ ଯୁବକଙ୍କୁ ଶକ୍ତ ଗୋଇଠା ପକାଇଲେ ପୋଲିସ୍ ବାବୁ । ସାମାଜିକ ଦୂରତା ଶିଖାଇବା ଆଳରେ ଅତ୍ୟାଚାର । ଅତର୍କିତ ଗୋଇଠା ମାଡ଼ରେ ନଦୀର ଭିତରକୁ ଗଳିପଡ଼ିଲେ ଯୁବକ । ଆଉ ତା’ ପରେ . . . . .

465

କନକ ବ୍ୟୁରୋ : ସାମାଜିକ ଦୂରତା ଶିଖାଇବା ଆଳରେ ଅତ୍ୟାଚାର । ଅଦୃଶ୍ୟ ଭାଇରସର ଅଜଣା ଭୟ ଭିତରେ ଖାକି ବର୍ଦ୍ଦିର ଜୁଲମ୍ । ଭିଡ଼ ଭିତରେ ଯୁବକଙ୍କୁ ଶକ୍ତ ଗୋଇଠା ପକାଇଲେ ପୋଲିସ୍ ବାବୁ । ସ୍ପଷ୍ଟ ଦିବାଲୋକରେ ସାଧାରଣ ଲୋକଙ୍କ ପ୍ରତି କରୋନା ଯୋଦ୍ଧାଙ୍କ ଏ କି ପ୍ରକାର ଅଶୋଭନୀୟ ବ୍ୟବହାର । ପ୍ରବଳ ଭିଡ଼ ଭିତରେ ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇଥିବା ଯୁବକଙ୍କୁ ଗୋଇଠା ମାରି ନଦୀକୁ ପକାଇଦେଲେ ଖାକି ପିନ୍ଧା ପୋଲିସ୍ ବାବୁ । ଅତର୍କିତ ଗୋଇଠା ମାଡକୁ ସମ୍ଭାଳି ନପାରି ନଦୀର ପ୍ରଖର ସ୍ରୋତକୁ ଖସିପଡ଼ିଲେ ଯୁବକ । ସଂକ୍ରମଣ ସମୟରେ ଲୋକଙ୍କୁ ସୁରକ୍ଷା ଦେବେ କ’ଣ. ଓଲଟି ଅତ୍ୟାଚାରର ସୀମା ଟପିଯାଉଛି । ଉତ୍ତରପ୍ରଦେଶ ମିର୍ଜାପୁରର ବିନ୍ଧ୍ୟାଞ୍ଚଳରେ ପୋଲିସର ଏପରି ଅମାନବୀୟ ଚେହେରା ସାମ୍ନାକୁ ଆସିଛି ।

ଖାକି ବର୍ଦ୍ଦିର ବହପ ଦେଖ । ନିୟମ ଉଲ୍ଲଂଘନ କଲେ ବୋଲି କ’ଣ ଗୋଇଠା ମାରିବ ? ଗାଧୋଇବାକୁ ଆସି ଉତ୍ତରପ୍ରଦେଶ ମିର୍ଜାପୁରର ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ ୫ ଜଣ ଲୋକ । ଉଦ୍ଧାର ପାଇଁ ଘାଟରେ ପୋଲିସ ପହଞ୍ଚିଥିବା ବେଳେ ଲୋକଙ୍କର ମଧ୍ୟ ପ୍ରବଳ ଭିଡ଼ ଜମିଥିଲା । ଶବ ବାହାର କରିବା ସମୟରେ ଫୋନରେ କଥା ହେଉଥିବା ପୋଲିସ ବାବୁ ଏତେ ଲୋକଙ୍କୁ ଏକାଠି ଦେଖି ଏତେ ଉତକ୍ଷିପ୍ତ ହୋଇଗଲେ ଯେ ହିତାହିତ ଜ୍ଞାନ ଭୁଲିଗଲେ । ଆଉ ରାଗରେ ଜରଜର ହୋଇ ନଦୀ କୂଳରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରି ନଦୀ ଭିତରକୁ ପକାଇେଲେ । ପୋଲିସ ବାବୁଙ୍କ ଏଫରି ଗୋଇଠା ମାଡ଼ରେ ଗଙ୍ଗା ନଦୀକୁ ଖସିପଡ଼ିଥିଲେ ଯୁବକ । ସଂକ୍ରମଣ କଥା ଦୂରେ ଥାଉ ପୋଲିସ ବାବୁଙ୍କ ପାଇଁ ଯୁବକ ଜଣକ ନଦୀରେ ଭାସିଯାଇଥାନ୍ତେ । ସୌଭାଗ୍ୟବଶତଃ ଉପସ୍ଥିତ ଲୋକେ ତୁରନ୍ତ ଯୁବକଙ୍କୁ ପାଣିର ପ୍ରଖର ସ୍ରୋତରୁ  ବଞ୍ଚାଇଦେଇଥିଲେ । ନହେଲେ ଅକାରଣରେ ଜୀବନ ଚାଲିଯାଇଥାଆନ୍ତା ।

ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କ ଉପରେ ବଢ଼ି ବଢ଼ି ଚାଲିଛି ପୋଲିସର ଦବଙ୍ଗଗିରି । ମାତ୍ର ଦୁଇ ଦିନ ପୂର୍ବରୁ ଥାନାର ଚାର୍ଜ ସମ୍ଭାଳିଥିବା ପୋଲିସବାବୁ ଏପରି ଆଚରଣ ସମସ୍ତଙ୍କୁ ଅସନ୍ତୁଷ୍ଟ କରିଛି । ଲକଡାଉନ୍ ଲକ୍ଷ୍ମଣରେଖାର ଜ୍ଞାନ ବାଣ୍ଟୁଥିବା ପୋଲିସ୍ ବାବୁ ସାଧାରଣ ଲୋକଙ୍କ ଉପରକୁ ଗୋଇଠା ମାରିବା କେତେଦୂର ଯୁକ୍ତିଯୁକ୍ତ । ମହାମାରୀ ସମୟରେ ଲୋକଙ୍କୁ ନିୟମ ଶିଖାଇବା କରୋନା ଯୋଦ୍ଧାଙ୍କ ଦାୟିତ୍ୱ, ଏହାର ଅର୍ଥ ନୁହେଁ ଲୋକଙ୍କୁ ପଶୁ ପରି ବ୍ୟବହାର କରିବେ ଖାକି ପିନ୍ଧା ବଡ଼ବାବୁ ।