ପୁଣି ସ୍ମାର୍ଟଫୋନ୍ ପାଇଁ ଗଲା ଜୀବନ : ସ୍ମାର୍ଟଫୋନ୍ ସଜାଡ଼ିବା ପାଇଁ ଟଙ୍କା ନମିଳିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳକ

666

କନକ ବ୍ୟୁରୋ : ମାଆ‌ଠାରୁ ପୁଅକୁ ଦୂରେଇ ଦେଲା ସ୍ମାର୍ଟଫୋନ୍‌ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ କୁରୁଣ୍ଟା ଗ୍ରାମର ଜଣେ ନାବାଳକ ନିଜର ଅଚଳ ସ୍ମାର୍ଟଫୋନ୍‌ ସଜାଡ଼ିବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା । ହେଲେ ଟଙ୍କା ନ ମିଳିବାରୁ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି । କୁରୁଣ୍ଟା ଗ୍ରାମର ନବକିଶୋର ସେଠୀଙ୍କ ପୁଅ ମାନସ କୁମାର (୧୬)ଙ୍କ ଏକ ସ୍ମାର୍ଟଫୋନ୍‌ ଥିଲା । କିନ୍ତୁ ଏହା ଖରାପ ହୋଇଯିବାରୁ ସେ ‌ତାକୁ ସଜାଡ଼ିବା ପାଇଁ ଗତ ୨୫ ତାରିଖ ଦିନ ମାଆ ଯଶୋଦାଙ୍କୁ ଟଙ୍କା ମାଗିଥିଲା ।

ହେଲେ ଟଙ୍କା ଦେବା ପାଇଁ ମାଆ ମନା କରି‌ଦେବା ସହ ରାଗରେ ମୋବାଇଲ୍‌ଟିକୁ ଜଳୁଥିବା ଚୁଲି ନିଆଁକୁ ଫିଙ୍ଗିଦେଇଥିଲେ । ପରେ କେହି କିଛି ବୁଝିବା ଆଗରୁ ସେ ନିକଟରେ ଥିବା କିରୋସିନ୍‌ ଆଣି ନିଜ ଦେହରେ ଢାଳିଦେବା ସହ ନିଆଁ ଲଗାଇ ଦେଇଥିଲା । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଂଗେ ସଂଗେ ମାର୍କୋଣା ଡାକ୍ତରଖାନାକୁ ନେଇଥିଲେ ।

ତେବେ ସେଠାରେ ମାନସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନା ଏବଂ ପରେ କଟକ ବଡ଼ଡ଼ାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।