କନକ ବ୍ୟୁରୋ : ମନ୍ତ୍ରୀମାନେ ଜିଲ୍ଲା ପରିଦର୍ଶନରେ ଗଲେ, ସେହି ଅଞ୍ଚଳର ବିଧାୟକଙ୍କୁ ଜଣାଇବା ବାଧ୍ୟତାମୂଳକ । ସଂପୃକ୍ତ ବିଧାୟକ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି, ମନ୍ତ୍ରୀମାନେ ତାଙ୍କ ଗସ୍ତ ନେଇ ବିଧାୟକଙ୍କୁ ଆଗୁଆ ସୂଚନା ଦେବେ। ଗତକାଲି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ରୁଲିଂ ଦେଇଛନ୍ତି ।
ଗତକାଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମାଲକାନଗିରି ବନ୍ୟା ପରିସ୍ଥିତି ସମୀକ୍ଷା କରିବାକୁ ଜିଲ୍ଲା ଗସ୍ତରେ ଯାଇଥିଲେ । କିନ୍ତୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀଙ୍କୁ ଏ ନେଇ ସୂଚନା ଦିଆଯାଇ ନଥିଲା । ଆଉ ସେ ବିଧାନସଭାରେ ଉପସ୍ଥିତ ଥିଲେ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଥିଲେ, ମନ୍ତ୍ରୀ ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। କିନ୍ତୁ ସ୍ଥାନୀୟ ବିଧାୟକ ବିଧାନସଭାରେ ଅଛନ୍ତି। ତାଙ୍କୁ ଏ ନେଇ ସୂଚନା ଦିଆଯାଇନି। ଅଥଚ ମନ୍ତ୍ରୀଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ଅଛନ୍ତି। ସେ ବିଜେଡିର ବିଧାୟକ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ସାଙ୍ଗରେ ନେଇଛନ୍ତି । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କାର୍ଯ୍ୟ ।
ବାଚସ୍ପତି ଏନେଇ ରୁଲିଂ ଦେବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ । ଆଉ ତା’ପରେ ବାଚସ୍ପତି, ମନ୍ତ୍ରୀମାନେ ବିଧାୟକଙ୍କୁ ଗସ୍ତ ସମ୍ପର୍କରେ ପୂର୍ବରୁ ଜଣାଇବାକୁ ରୁଲିଂ ଦେଇଥିଲେ ।