କନକ ବ୍ୟୁରୋ : ବେଳାଭୂମିରେ ନାଲି କଙ୍କଡାଙ୍କ ମେଳା । ପ୍ରକୃତିରାଣୀଙ୍କ ସୌନ୍ଦର୍ଯ୍ୟର ଉପହାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦେବୀ ମୂହାଁଣରେ ଏହି ନାଲି କଙ୍କଡା ବହୁଳ ଭାବେ ଦେଖାଯାଉଛନ୍ତି । ଆଉ ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ବିରଳ ପ୍ରଜାତିର ନାଲି କଙ୍କଡା । ଦେବୀ ମୁହାଣକୁ ଯାଇ ବହୁ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ନଜର ନାହିଁ । ତେଣୁ ଦେବୀମୂହାଣକୁ ଯାଉଥିବା ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

ଧୂସର ବାଲି ତା ଉପରେ ଦଳ ଦଳ ନାଲି କଙ୍କଡା । କେତେବେଳେ ବେଳାଭୂମି ଉପରକୁ ମାଡି ଆସୁଛନ୍ତି । ପୁଣି କେତେବେଳେ ସମୁଦ୍ର ଲହଡି, ନାଲି କଙ୍କଡାକୁ ଆଣି କୂଳରେ ଅଜାଡି ଦେଉଛି । ନାଲି କଙ୍କଡା ଦଳ ଦଳ ହୋଇଯିବା ବେଳେ ନାଲି କାର୍ପେଟର ଭ୍ରମ ସୃଷ୍ଟି କରୁଛି । ବାଲିରେ ନାଲି କଙ୍କଡାର କଉତିକିଆ ଖେଳ ଦେଖିବା ପ୍ରକୃତିର ଏକ ଅନନ୍ୟ ଉପହାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୂହାଣର ଜୈବ ବିଭିଧତା, ହେନ୍ତାଳ ବଣ ଓ ନାଲି କଙ୍କଡାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।

publive-image

ଏହି ବିରଳ ପ୍ରଜାତିର ନାଲି କଙ୍କଡା ବିଶେଷ କରି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଉପକୂଳରେ ଦେଖାଯାଆନ୍ତି । ଓଡିଶାରେ ବାଲେଶ୍ୱର ଉପକୂଳବ୍ୟତୀତ ବହୁଳ ଭାବେ ଦେଖା ଯାଆନ୍ତି ଅସ୍ତରଙ୍ଗ ଦେବୀ ମୂହାଣରେ । ନାଲି କଙ୍କଡା ଦେଢ ଫୁଟ ଗାତ କରି ବାସ କରନ୍ତି । ସେମାନେ ମୃତ ଶୈବାଳ ଓ ମଲା ମାଛ ଖାଇ ବଂଚନ୍ତି । ଏମାନଙ୍କ ଲମ୍ବ ଦୁଇ ଇଂଚ ହୋଇଥିବା ବେଳେ ସର୍ବାଧିକ ଦୁଇ ବର୍ଷ ବଂଚଥାନ୍ତି ।

- ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଉପକୂଳରେ ଦେଖାଯାଆନ୍ତି
- ଓଡିଶାରେ ବାଲେଶ୍ୱର ଉପକୂଳ ଓ ଅସ୍ତରଙ୍ଗ ଦେବୀମୂହାଣରେ ଦେଖିବାକୁ ମିଳେ
- ନାଲି କଙ୍କଡା ଦେଢ ଫୁଟ ଗାତ କରି ବାସ କରନ୍ତି
- ମୃତ ଶୈବାଳ ଓ ମଲା ମାଛ ଖାଇ ବଞ୍ଚନ୍ତି
- ନାଲି କଙ୍କଡାର ଲମ୍ବ ୨ ଇଞ୍ଚ୍, ଆୟୂଷ ମାତ୍ର ୨ ବର୍ଷ

publive-image

ବିରଳ ନାଳି କଙ୍କଡାର ବାସସ୍ଥାନ ଦେବୀମୂହାଣ । ସେଠାକୁ ଯିବାକୁ ହେଲେ ଦେବୀ ନଦୀରେ ବେଶ କିଛି ଘଂଟା ଡଙ୍ଗାରେ ଯାତ୍ରା କରିବାକୁ ପଡିଥାଏ । ନଦୀର ଦୁଇପଟେ ହେନ୍ତାଳ ବଣର ସୌନ୍ଦର୍ଯ୍ୟ ପର୍ଯ୍ୟଟଙ୍କୁ ବିମୋତି କରିଥାଏ । ହେଲେ ଦେବୀମୂହାଣକୁ ଯିବାଆସିବା ପାଇଁ କୌଣସି ବ୍ୟବସ୍ଥା ନଥିବା ପର୍ଯ୍ୟଟକଙ୍କ ନିରାଶ କରେ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ କିଛି ପର୍ଯ୍ୟଟକ ଦେବୀମୂହାଣକୁ ଯାଇ ବୁଲାବୁଲି କରିଥାନ୍ତି । ଆଉ ମତ୍ସ୍ୟଜୀବୀମାନେ ବି ଦୁଇ ପଇସା ପାଇଥାନ୍ତି । କେଉଁ କେତେ ଦିନରୁ ନାଲି କଙ୍କଡା ଅସ୍ତରଙ୍ଗ ଦେବାମୂହାଣକୁ ବାସସ୍ଥାନ ଭାବେ ବାଛି ନେଇଛନ୍ତି । ଦେବୀ ମୂହାଣର ବିକାଶ ସହ ଯିବା ଆସିବା ପାଇଁ ବୋଟିଂ ବ୍ୟବସ୍ଥା କରାଗଲା ପ୍ରାକୃତିକ ପରିବେଶ ଦେଖିବାକୁ ବହୁ ପର୍ଯ୍ୟଟକ ଆସନ୍ତେ ।