କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ମିଲ୍‌କ ବ୍ୟାଙ୍କ୍ ! ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା

113

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଲାକ୍ଟେସନ୍ ମ୍ୟାନେଜମେଣ୍ଟ ସେଣ୍ଟର ବା ମିଲ୍‌କ ବ୍ୟାଙ୍କ୍ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମା’ମାନେ ଏହି ବ୍ୟାଙ୍କରେ ନିଜ ଶିଶୁ ପାଇଁ କ୍ଷୀର ସଂରକ୍ଷିତ ରଖିପାରିବେ । ପାଇଲଟ୍‌ ପ୍ରକଳ୍ପରେ ଏହା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଏହା ପ୍ରଥମ ମିଲ୍‌କ ବ୍ୟାଙ୍କ ହେବ କୁହାଯାଉଛି ।

କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍‌ଫାଣ୍ଟ ଏଣ୍ଡ ୟଙ୍ଗ ଚାଇଲ୍‌ଡ ଫିଡିଂ ବା ଆଇଏୱାଇଏଫ୍‌ କାଉନ୍‌ସେଲିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ବ ଦିଆଯାଉଛି । ପରବର୍ତୀ ସମୟରେ ଏହି କେନ୍ଦ୍ରକୁ ମିଲ୍‌କ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଛି । ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏହି ବ୍ୟାଙ୍କ ଖୋଲିବ ବୋଲି ଜଣାପଡ଼ିଛି। ଏହି ବ୍ୟାଙ୍କରେ ମା’ମାନେ ନିଜ କ୍ଷୀରକୁ ସଂରକ୍ଷିତ ରଖିପାରିବେ ।

ନିକଟରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାକୁ ଚାହୁ ନାହାନ୍ତି।  ଚାକିରିଆ ମା’ମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଡବା କ୍ଷୀରକୁ ସେମାନେ ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଯାହାଫ‌ଳରେ ଉଭୟ ଶିଶୁ ଓ ମା’ମାନଙ୍କ ପ୍ରତି ବିପଦ ରହୁଛି । ତେବେ ସେମାନଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବାରେ ଏହି ବ୍ୟାଙ୍କ ସହାୟକ ହେବ । କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଯେଉଁ ମା’ମାନେ ଅସୁସ୍ଥ ଅଛନ୍ତି ଓ ସେମାନଙ୍କ ଶିଶୁ କ୍ଷୀର ଖାଇପାରୁ ନାହାନ୍ତି ସେମାନେ ହିଁ କ୍ଷୀର ରଖିପାରିବେ ।

କ୍ଷୀର ଯେପରି ଅଦଳ ବଦଳ ନ ହେବ ସେଥିପାଇଁ ରକ୍ତ ପରୀକ୍ଷା କରାଯିବ । ଏହାସହ ଯେଉଁ କ୍ଷୀର ସଂରକ୍ଷିତ ହେବ ତହିଁରେ କେତେ ଜୀବାଣୁ ରହିଛି ତାହାର ମଧ୍ୟ ପରୀକ୍ଷା କରାଯିବ । ମା’ମାନେ ଚାହିଁଲେ ନିଜେ କ୍ଷୀର କାଢ଼ିପାରିବେ ନଚେତ୍ ମେସିନ୍ ସହାୟତାରେ କ୍ଷୀର ବାହାର କରିପାରିବେ । ଦେଶରେ କୋଲକାତା, ମୁମ୍ବାଇ, ହାଇଦ୍ରାବଦ୍‌ରେ ଏଭଳି ମିଲ୍‌କ ବ୍ୟାଙ୍କ ରହିଛି । ଏହି ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟୟ ବରାଦ ହୋଇସାରିଛି । ତେବେ ଏହା ହାଇଟେକ୍ ବ୍ୟବସ୍ଥା ହୋଇଥିବାରୁ ଏହାକୁ କାର‌୍ୟ୍ୟକାରୀ କରିବାରେ କେତେକ ସମସ୍ୟା ଦେଖା ଦେଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।