କଂଗ୍ରେସରେ କମ୍ପନ : ରାହୁଲ ଗାନ୍ଧୀ ଇସ୍ତଫା ପରେ ସଂଗଠନରୁ ମୁହଁ ମୋଡ଼ୁଛନ୍ତି ନେତା
କନକ ବ୍ୟୁରୋ : କଂଗ୍ରେସରେ କମ୍ପନ । ଠିକ୍ ଯେମିତି ସେନାପତି ଓହରି ଯିବା ପରେ ଯବାନମାନେ ଇତସ୍ତତ ହୋଇ ଯାଆନ୍ତି, କଂଗ୍ରେସରେ ହୁଏତ ସେହିଭଳି ସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନାଟକୀୟ ଢ଼ଙ୍ଗରେ କଂଗ୍ରେସର ଜଣେ ପରେ ଜଣେ ନେତା ଦଳୀୟ ସଂଗଠନରୁ ମୁହଁ ମୋଡ଼ିଛନ୍ତି । ମୁମ୍ବାଇ କଂଗ୍ରେସର ସଭାପତି ତଥା ଯୁବନେତା ମିଲିନ୍ଦ ଦେଓରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାର ମାତ୍ର କିଛି ମୂହୁର୍ତ୍ତ ପରେ କଂଗ୍ରେସ ସାଧାରଣ ସଚିବ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କୁହାଯାଉଛି ରାହୁଲ ଗାନ୍ଧିଙ୍କ ଅଚାନକ୍ ଇସ୍ତଫା ଘୋଷଣା ପରେ ଟିମ୍ ରାହୁଲ ଏବେ ତାଙ୍କରି ରାସ୍ତା ଧରିଛି । ଲଗାତର କିଛିଦିନ ହେଲା ରାହୁଲଙ୍କ ନିକଟତମ କିମ୍ବା ତାଙ୍କ ଦ୍ୱାରା ଅବସ୍ଥାପିତ ଏଆଇସିସି ସଚିବ କୁହନ୍ତୁ କିମ୍ବା ରାଜ୍ୟ ମୁଖ୍ୟ ଜଣେ ପରେ ଜଣେ ପଦ ଛାଡୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ଶନିବାର ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ କେଶବ ଚନ୍ଦ୍ର ଯାଦବ । ଏହା ପୂର୍ବରୁ ଏଆଇସିସି ଅନୁସୂଚିତ ଜାତି ସେଲ ଅଧ୍ୟକ୍ଷ ପଦ ଛାଡିଥିଲେ ନୀତିନ ରାଉତ୍ । ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଉତମ କୁମାର ରେଡ୍ଡି କୁହନ୍ତୁ ବା ଗୋଆ କଂଗ୍ରେସ ସଭାପତି ଗିରିଶ ଚୋଡଙ୍କର । ଏମାନଙ୍କୁ ରାହୁଲ ଗାନ୍ଧି ହିଁ ଦାୟିତ୍ୱ ଦେଇଥିଲେ । ଏଆଇସିସି ପଦପଦବୀ କୁହନ୍ତୁ ବା ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ରାହୁଲ ଗାନ୍ଧି ଅବସ୍ଥାପିତ କରିଥିବା ନେତାଙ୍କ ଇସ୍ତଫା ଏହି ସର୍ବପୁରାତନ ଦଳରେ ରାହୁଲ ଯୁଗର ଅବସାନ ଆଡକୁ ଇସାରା କରୁଥିବା ଚର୍ଚ୍ଚା ହେଉଛି । କାରଣ ରାହୁଲଙ୍କ ଇସ୍ତଫା ପରେ ହଠାତ୍ ବରିଷ୍ଠ ନେତାମାନେ ସକ୍ରିୟ ହୋଇଯାଇଛନ୍ତି । ଏବଂ ଆଗକୁ ଏହି ଯୁବ ନେତାମାନେ ନିଜର ଅସ୍ତିତ୍ୱ ହରାଇବା ଆଶଙ୍କା କରି ପଦପଦବୀ ଛାଡୁଥିବା ଅନୁମାନ କରାଯାଉଛି ।
ମୁମ୍ବାଇ କଂଗ୍ରେସର ସଭାପତି ତଥା ଯୁବନେତା ମିଲିନ୍ଦ ଦେଓରା ନିଜପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ସଂଜୟ ନୀରୁପମ୍ । ଦେଓରା ନିଜ ପଦରୁ ଇସ୍ତଫା ଦେବାସହ ଜାତୀୟ ସ୍ତରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ ବୋଲି ଉଲ୍ଲେଖ କରିଥିଲେ । ଏହାକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁମ୍ବାଇ କଂଗ୍ରେସ ମୁଖ୍ୟ । ଠିକ୍ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମିଲିନ୍ଦଙ୍କୁ ମୁମ୍ବାଇର ଦାୟିତ୍ୱ ମିଳିଥିଲା । ସଂଜୟ ନୀରୁପମଙ୍କୁ ହଟାଇ ଦେଓରାଙ୍କୁ ଦାୟିତ୍ୱ ଦିଆଯାଇଥିଲେ ବି ଲୋକସଭା ନିର୍ବାଚନରେ କଂଗ୍ରେସକୁ ସେଭଳି କୌଣସି ଆଖିଦୃଶିଆ ସଫଳତା ମିିଳିନଥିଲା ।