କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ! ରଣପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ଶୁଭଶ୍ରୀ ପଣ୍ଡା

371

କନକ ବ୍ୟୁରୋ : ରଣପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନୀ ମୈଦାନକୁ ଓଲହାଇବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ । ଶୁଭଶ୍ରୀ ପଣ୍ଡାଙ୍କୁ ଟିକେଟ ଦେଇଛି କଂଗ୍ରେସ । ତେବେ ଶୁଭଶ୍ରୀ ପଣ୍ଡା ରଣପୁର ବିଧାନସଭା କ୍ଷେତ୍ର ପାଇଁ ନୂଆ ମୁହଁ ନୁହେଁ । ୨୦୧୪ରେ ମଧ୍ୟ ରଣପୁରରୁ ନିର୍ବାଚନ ଲଢ଼ିସାରିଛନ୍ତି ଶୁଭଶ୍ରୀ ପଣ୍ଡା । ରଣପୁରରେ ଚଳିତ ଥର ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କଂଗ୍ରେସରେ ସାମିଲ ହେବାପରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି ।

ସୂଚନାଯୋଗ୍ୟ ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା । ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ତେବେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ିରେ ସାମିଲ ହୋଇ ସାଂସଦ ହେବା ପରେ ଶୁଭଶ୍ରୀ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଥିଲା । ତେଣୁ ସେ କଂଗ୍ରେସରେ ଯୋଗ ଦେଇଥିଲେ ।

୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରବି ନାରାୟଣ ମହାପାତ୍ର ୬୦,୭୦୫ ଭୋଟ ପାଇଁ ନିର୍ବାଚନ ଜିତିଥିଲେ । ୪୪,୨୭୯ ଟିକେଟ ପାଇଁ ଦ୍ୱିତୀୟରେ ଥିଲେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ । କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ପଟ୍ଟନାୟକଙ୍କୁ ମିଳିଥିଲା ୧୭,୧୧୦ ଟି ଭୋଟ୍ । ଏହି ନିର୍ବାଚନରେ ପଂଚମ ସ୍ଥାନରେ ରହିବା ସହ ଶୁଭଶ୍ରୀ ପଣ୍ଡାଙ୍କ ହାତକୁ ଆସିଥିଲା ମାତ୍ର ୫,୦୯୧ ଭୋଟ ।