ବଂଶ ବିସ୍ତାର ପାଇଁ ବଦଳିଛି ଠିକଣା : ଶୀତ ଦିନେ ଓଡିଶାର ବିଭିନ୍ନ ସ୍ଥାନକୁ ଉଡି ଆସିଛନ୍ତି ବିଦେଶୀ ପକ୍ଷୀ

275

କନକ ବ୍ୟୁରୋ : ବଂଶ ବିସ୍ତାର ପାଇଁ ବଦଳି ଯାଏ ଠିକଣା । ନୀଳ ଆକାଶରେ ଅତିକ୍ରମ କରନ୍ତି ମାଇଲ ମାଇଲ ବାଟ । ଦେଶ ପରେ ଦେଶ ଡେଇଁ ଓଡିଶାରେ ପହଂଚିଯାଆନ୍ତି ବିଦେଶୀ ଅତିଥି । ଆଶା ଥାଏ, ଶୀତ ଦିନେ ଓଡିଶାର ଅନୁକୂଳ ପରିବେଶରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ସେମାନଙ୍କୁ ଉଡା ଶିଖେଇବେ । ଆଉ ଶୀତ ସରିଗଲେ ପୁଣି ନିଜ ଦେଶକୁ ଫେରିଯିବେ ।

ପକ୍ଷୀ! ଏମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ । ଯେ କୌଣସି ସୀମା ଅତିକ୍ରମ କରି ଯେ କୌଣସି ଦେଶର ନୀଳ ଆକଶରେ ଉଡି ବୁଲନ୍ତି ଏମାନେ । ଯାହାର ପ୍ରମାଣ, ଶୀତ ଦିନେ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ବିଦେଶାଗତ ପକ୍ଷୀଙ୍କ ସମାଗମ । ସେ ଚିଲିକାର ନଳବଣ ହେଉ ବା ଭିତରକନିକା । ହୀରାକୁଦ ଜଳଭଣ୍ଡାର ହେଉ ବା ଚିଲିକା ଉପକୂଳ ବ୍ରହ୍ମଗିରି ରେଞ୍ଜର ବନାଂଚଳ ହେଉ । ସବୁଠି ଶୁଭୁଛି ଅତିଥିଙ୍କ କଳରବ ।

ପୁରୀ ଜିଲ୍ଲା ବନ୍ୟ ପ୍ରାଣୀ ଡିଭିଜନ ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ହୋଇଛି । ୪ଟି ଜୋନରେ ୨୫ଜଣ ଗଣନାକାରି ସାମିଲ ହୋଇ ପକ୍ଷୀ ଗଣନା କରିଛନ୍ତି । କପିଳେଶ୍ୱରପୁର ଠାରୁ ପଥରପଦା, କାଠୁଆ-ଆରଡି ଛକ ଠାରୁ ଖଜୁରିଆ, ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ଗୋଲରା ଏବଂ ସୁନାମୁହିଁ ଠାରୁ ବରପଦା । ଏମିତି ୪ଟି ଜୋନରେ ବିଭିକ୍ତ କରି ବାଇନାକୁଲାର, କ୍ୟାମେରା ଓ ଜିପିଏସ ମାଧ୍ୟମରେ ପକ୍ଷୀ ଗଣନା କରାଯାଇଛି ।

ଗଣନା ପାଇଁ ଗତ ୨ ତାରିଖରେ ପୁରୀ ଡିଭିଜନ ଅଫିସରେ ତାଲିମ କାର୍ଯ୍ୟ ଶେଷ ହୋଇଯାଇଥିଲା । ପାଗ ଖରାପ ଥିବାରୁ ୩ ତାରିଖରେ ପକ୍ଷୀ ଗଣନା ହୋଇପାରିନଥିଲା । ବୁଧବାର ସକାଳ ୬ଟାରୁ ୧୦ଟା ସୁଦ୍ଧା ବ୍ରହ୍ମଗିରି ରେଞ୍ଜ ଅନ୍ତର୍ଗତ ଅଂଚଳରେ ପକ୍ଷୀ ଗଣନା ହୋଇଛି । ତେବେ ଗଣନା ସରିଥିଲେ ସୁଦ୍ଧା ବନ ବିଭାଗ ଔପଚାରିକ ଭାବରେ ସଂଖ୍ୟା ଓ ପ୍ରଜାତି ଘୋଷଣା କରିନାହିଁ ।