ହୀରାକୁଦ ନୀଳଜଳରେ ଅତିଥୀ ପକ୍ଷୀଙ୍କ କଳରବ ! ସୁଦୂର ବ୍ରାଜିଲ, ଋଷିଆ ଓ ଦକ୍ଷିଣ ଆମେରିକାରୁ ଜଳଭଣ୍ଡାରକୁ ଉଡିଆସିଛନ୍ତି ବିଦେଶୀ ପକ୍ଷୀ

47

କନକ ବ୍ୟୁରୋ : ହୀରାକୁଦରେ ଶୁଭୁଛି ବିଦେଶୀ ପକ୍ଷୀଙ୍କ କିଚିରିମିଚିର ଶବ୍ଦ । ବିସ୍ତୀର୍ଣ୍ଣ ଜଳରାଶିର ଶୋଭା ବର୍ଦ୍ଧନ କରୁଛନ୍ତି ବିଦେଶାଗତ ପକ୍ଷୀ । ଜଳଭଣ୍ଡାରକୁ ଲାଗି ରହିଥିବା ଅନେକ ସ୍ଥାନରେ ଥଣ୍ଡା ପଡିବା ସହ ବିଦେଶୀ ପକ୍ଷୀ ଆସିବାର ଦେଖାଗଲାଣି । ଅତିଥୀ ପକ୍ଷୀଙ୍କ ଆଗମନକୁ ଦେଖି ହୀରାକୁଦ ନଦୀବନ୍ଧକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ଦାବୀ ହୋଇଛି ।

ହୀରାକୁଦ ଜଳଭଣ୍ଡାରରେ ଅତିଥୀଙ୍କ କଳରବ । ପ୍ରାୟ ୧୫ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ହୀରାକୁଦ ଜଣଭଣ୍ଡାରରେ ପହଂଚିଛନ୍ତି ବିଦେଶୀ ପକ୍ଷୀ । ଅତ୍ୟଧିକ ଥଣ୍ଡା ଯୋଗୁଁ ଦକ୍ଷିଣ ଆମେରିକା, ବ୍ରାଜିଲ ଓ ଋଷିଆ ଭଳି ଦେଶରୁ ଉଡିଆସିଛନ୍ତି ଏମାନେ । ହୀରାକୁଦ ନୀଳ ଜଳରାଶିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣତ କରିଛି ରଙ୍ଗବେରଙ୍ଗ ପକ୍ଷୀଙ୍କ ସମ୍ଭାର । ହ୍ୱୀସ୍ଲିଂ ଡ଼କ, ଲେଜର ହ୍ୱୀସ୍ଲିଂ ଡ଼କ, ପୋଚାର୍ଡ଼, ସୋଭେଲ, ଗିବ୍ସ ଏବଂ କୁଟ୍ ପ୍ରଜାତୀର ପକ୍ଷୀଙ୍କ କାକଳିରେ ମୁଖରିତ ହୀରାକୁଦର ଶାନ୍ତ ପରିବେଶ ।

ହେଲେ ଏହି ବିଦେଶୀ ଅତିଥୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଶିକାରୀ ଅବାଧ ପକ୍ଷୀ ଶୀକାର କରୁଥିବା ବେଳେ ସବୁଜାଣି ବନବିଭାଗ ନୀରବ ରହୁଥିବା ଅଭିଯୋଗ ହୋଇଛି । ପକ୍ଷୀ ରହୁଥିବା ଅଂଚଳକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ପକ୍ଷୀ ପ୍ରେମୀମାନେ ଦାବୀ କରିଛନ୍ତି । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ପକ୍ଷୀମାନଙ୍କର ଆଗମନକୁ ଦେଖି ଜଳଭଣ୍ଡାର ଅଂଚଳର ୮ ରୁ ୧୦ ଟି ଗାଁରେ ବିଭିନ୍ନ କମିଟି କରାଯାଇ, ସୁରକ୍ଷା ଦିଆଯାଉଥିବା କହିଛନ୍ତି ୱାଇଲ୍ଡ ଲାଇଫ ଏସିଏଫ । ପକ୍ଷୀଙ୍କୁ ସୁରକ୍ଷା ଯୋଗେଇ ନଦେଲେ ଆଗାମୀ ଦିନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି ।