ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନଙ୍କୁ ଶ୍ରମ ସଚିବଙ୍କ ଚିଠି : ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଭଲରେ ରଖିବାକୁ ନିର୍ଦ୍ଦେଶ

249

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ତାଲାବନ୍ଦ ଭଳି କଠୋର ପଦକ୍ଷେପ, ଶ୍ରମିକ ମାନଙ୍କ ସମସ୍ୟାକୁ ବଢାଇ ଦେଇଛି । ଯିଏ ଯେଉଁଠି ଅଛନ୍ତି, ସେହିଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଓଡିଶାରେ ଫସିରହିଛନ୍ତି ବାହାର ରାଜ୍ୟର ହଜାର ହଜାର ଶ୍ରମିକ । ଆଉ ଏମାନଙ୍କ ଭଲରେ ଯତ୍ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରମ ସଚିବ । ବିଶେଷ କରି ଶ୍ରମିକ ଅଶାନ୍ତି ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିବା ପରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନଙ୍କୁ ଚିଠି ଲେଖାଯାଇଛି ।

ନିଜ ନିଜ ଜିଲ୍ଲାରେ ଥିବ କ୍ୟାମ୍ପଗୁଡିକରେ କେତେ ପ୍ରବାସୀ ଶ୍ରମିକ ରହିଛନ୍ତି ସେମାନଙ୍କ ଅବସ୍ଥା ସଂପର୍କରେ ଜିଲ୍ଲାପାଳମାନେ ତୁରନ୍ତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରମ ସଚିବ ଅନୁ ଗର୍ଗ । ଶ୍ରମିକମାନେ ଯେଭଳି ସୁସ୍ଥ ପରିବେଶରେ ରହିବେ ଓ ଖାଇବେ ସେଥିପଇଁ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ କରିବାକୁ କୁହାଯାଇଛି । ଏଥିସହ ପ୍ରବାସୀ ଶ୍ରମିକ ମାନଙ୍କୁ ମର୍ଯ୍ୟାଦାର ସହ ରଖିଥିବା ସୋନପୁର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଶ୍ରମ ସଚିବ ।