ଦାଦନଙ୍କୁ ଦାଉ ସାଧୁଛି ତାଲାବନ୍ଦ : ହାଇଦ୍ରବାଦରୁ ଗର୍ଭବତୀ ସ୍ତ୍ରୀ ଓ ଦୁଇବର୍ଷର ଛୁଆଙ୍କୁ କାଠଗାଡିରେ ୬ ଶହ କିମି ଟାଣି ଟାଣି ଆଣିଲେ ଯୁବକ

1,998

କନକ ବ୍ୟୁରୋ : ତାଲାବନ୍ଦ ଭିତରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାର ମର୍ମନ୍ତୁଦ ଚିତ୍ର ପ୍ରତିଦିନ ଦେଖିବାକୁ ମିଳିଛି । କାଠ ତିଆରେ ଗାଡିରେ ଗର୍ଭବତୀ ପତ୍ନୀ ଓ ୨ ବର୍ଷର ଶିଶୁକୁ ବସାଇ ହାଇଦ୍ରାବାଦରୁ ମଧ୍ୟପ୍ରଦେଶର ପାଲଘାଟକୁ ଫେରିଛନ୍ତି । ପ୍ରଥମେ କିଛି ବାଟ ଚାଲିବା ପରେ ଗର୍ଭବତୀ ପତ୍ନୀ ଚାଲିପାରିନଥିଲେ । ଏହାପରେ କାଠରେ ଏକ ଛୋଟଗାଡି ତିଆରି କରି ସେଥିରେ ପତ୍ନୀ ଓ ଝିଅକୁ ବସାଇ ୬୫୦ କିଲୋମିଟର ହାତରେ ଟାଣି ଟାଣି ଫେରିଛନ୍ତି ମଧ୍ୟପ୍ରଦେଶର ପାଲଘାଟକୁ ।

ଲକଡାଉନ୍ ପରେ ଠିକାଦାର ସାଇଟ୍ ବନ୍ଦ କରିଦେବାକୁ କାମ ଧନ୍ଦା ନପାଇ ହାଇଦ୍ରାବାଦରେ ଫସି ରହିଥିଲେ ପାଲଘାଟର ରାମ ଘୋରମାରେ । ଏହାପରେ କିଛି ଦିନ ପାଖରେ ଥିବା ଟଙ୍କାରେ ପରିବାର ଚାଲିଥିଲା । ହେଲେ ଟଙ୍କା ସରିବା ପରେ ଘରକୁ ସପରିବାର ପାଦରେ ବାହାରିଥିଲେ । କିଛି ବାଟ ଚାଲିବା ପରେ ଗର୍ଭବତୀ ପତ୍ନୀ ଚାଲିନପାରିବାରୁ ସେ ଏକ କାଠ ଗାଡି ତିଆରି କରି ସେଥିରେ ଗର୍ଭବତୀ ପତ୍ନୀ ଓ ୨ ବର୍ଷର ଶିଶୁକୁ ବସାଇ ହାତରେ ଟାଣି ଟାଣି ପାଲଘାଟ ପହଞ୍ଚିଛନ୍ତି ।

ସେପଟେ ଇନ୍ଦୌର ବାଇପାସର ଏକ ଭିଡିଓ ଭାଇରାଲ ହେଉଛି । ରାସ୍ତା ଉପରେ ଶ୍ରମିକଙ୍କ ବିବଶତା ଓ ଅସହାୟତାର ଚିତ୍ର ଦେଖିବାକୁ ମିଳୁଛି । ଯେକୌଣସି ପ୍ରକାରେ ଘରକୁ ପହଂଚିବାକୁ ପ୍ରବାସୀ ଶ୍ରମିକମାନେ ଜୀବନକୁ ବାଜିରେ ଲଗାଇ ଯାତ୍ରା କରୁଛନ୍ତି । ଭାଇରାଲ ଭିଡିଓରେ ଜଣେ ଶ୍ରମିକ ପରିବାର ଏକ ଶଗଡ ଗାଡିରେ ଘରକୁ ଫେରୁଛନ୍ତି । ହେଲେ ଦୁଃଖର ବିଷୟ ଶଗଡ ଗାଡିରେ ଗୋଟିଏ ପଟେ ବଳଦ ଯୋଚା ହୋଇଥିବା ବେଳେ ଅନ୍ୟପଟେ ବଳଦ ସହ ତାଳ ଦେଇ ଶଗଡ ଟାଣୁଛି ମଣିଷ । ମହାରାଷ୍ଟର ନାନ୍ଦେଣରୁ ଶଗଡ ଗାଡିରେ ମାକୁ ବସାଇ ଟାଣି ଟାଣି ମଧ୍ୟପ୍ରଦେଶର ରିବାକୁ ବାହାରିଛି ପୁଅ । ନାନ୍ଦେଣରୁ ମଧ୍ୟପ୍ରଦେଶର ରିବା ପ୍ରାୟ ୮ଶହ କିଲୋମିଟର ଦୂରତା । ଆଉ ୮ ଶହ କିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ ଶଗଡ ଗାଡିରେ ମାକୁ ବସାଇ ଗୋଟିଏ ପଟେ ବଳଦ ଓ ଅନ୍ୟପଟେ ନିଜେ ଟାଣି ଗାଁକୁ ପହଂଚିବାକୁ ବାହାରିଛି ପୁଅ ।