କନକ ବ୍ୟୁରୋ : ସୁରତରୁ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ନିଜ ଭିଟାମାଟି ଫେରୁଛନ୍ତି। ରୋଜଗାର ହରାଇ ଦୟନୀୟ ଅବସ୍ଥାରେ ମାସାଧିକ କାଳ ସେଠାରେ ପଡ଼ି ରହିବା ପରେ ଜନ୍ମମାଟିକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଦଲାଲ୍ଙ୍କ ଶୋଷଣର ଶିକାର ହେଉଛନ୍ତି । ଚଢ଼ା ଦରରେ ଅର୍ଥାତ ୭୧୦ ଟଙ୍କା ମୂଲ୍ୟର ଟ୍ରେନ୍ ଟିକେଟ୍ ଦଲାଲ୍ଙ୍କଠାରୁ ଏକ ହଜାରରୁ ୧୨ଟଙ୍କା ଦେଇ କିଣି ଫେରୁଥିବା ଦେଖିବାକୁ ମିଳୁଛି । ସବୁଠୁ ଉଦ୍ବେଗର କଥା ହେଲା ସୁରତରେ ଓଡ଼ିଆଙ୍କୁ ଓଡ଼ିଶାର ଦଲାଲ୍ ହିଁ ଶୋଷଣ କରୁଛନ୍ତି ।
ଗୁଜରାଟର ସୁରତକୁ ଦେଶର ମିନି ଓଡ଼ିଶା କୁହାଯାଏ । ଓଡ଼ିଶାର ୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ସୁରତ ସୂତାକଳ, ହୀରାକଟା ଓ ପଲିସ୍ ଫ୍ୟାକ୍ଟ୍ରିରେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି। କରୋନାକୁ ନେଇ ମାର୍ଚ୍ଚ ୨୨ରେ ଦେଶ ଲକ୍ଡାଉନ୍ ହେବା ସୁରତର ସୂତାକଳ ଗୁଡ଼ିକରେ ତାଲା ଝୁଲିଥିଲା । ରୋଜଗାର ହରାଇ ଓଡ଼ିଆ ଶ୍ରମିକମାନେ ଭୋକ ଉପାସରେ ଦିନ କାଟିଥିଲେ। ଏହାକୁ ନେଇ ସୁରତର ବିଭିନ୍ନ ଅଞ୍ଚଳରେ ଗଣ୍ଡଗୋଳ, ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା । ତେବେ ଲକ୍ଡାଉନ୍ର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୮ତାରିଖରୁ ସୁରତରୁ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ବସ୍ ଯୋଗ ଫେରିବା ଆରମ୍ଭ କରିଥିଲେ ।
ପ୍ରାୟ ୨୮୮ଟି ବସ୍ରେ ୧୬ହଜାର ପ୍ରବାସୀ ଓଡ଼ିଆ ସୁରତ୍ରୁ ଫେରିଛନ୍ତି। ସେମାନେ ବସ୍ରେ ଚଢ଼ାଦରରେ ଅର୍ଥାତ ଜଣ ପିଛା ୩ହଜାର ୫ଶହରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ଆସିଥିବା ଜଣାପଡ଼ିଛି। ବାରମ୍ବାର ବସ୍ ଦୁର୍ଘଟଣା ପରେ ରାଜ୍ୟ ସରକାର ବସ୍ରେ ଫେରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଗତ ୩ତାରିଖରୁ ସୁରତରୁ ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ଓଡ଼ିଶା ଫେରୁଛନ୍ତି। ପ୍ରତ୍ୟହ ସୁରତରୁ ଓଡ଼ିଶା ଦୁଇରୁ ତିନୋଟି ଟ୍ରେନ୍ ଛାଡ଼ୁଛି। ପ୍ରତି ଟ୍ରେନ୍ରେ ପ୍ରାୟ ୧୨ଶହ ଶ୍ରମିକ ଆସୁଛନ୍ତି। କିନ୍ତୁ ରେଳ ବିଭାଗ ନିଜେ ଟିକେଟ ବିକ୍ରି କରୁନାହିଁ। ରେଳ ବିଭାଗ ଓ ସୁରତ ଜିଲ୍ଲା ପ୍ରଶାସନ ଆଲୋଚନା କରି ସେଠାକାର କିଛି ଓଡ଼ିଆ ସଂଗଠନକୁ ଟିକେଟ ବିକ୍ରି ଦାୟିତ୍ବ ଦେଇଛନ୍ତି। ସେମାନେ ଟିକେଟ୍ ଆଣି ବିକ୍ରି କରୁଛନ୍ତି।
ତେବେ ଏହି ଟିକେଟ ବିକ୍ରିରେ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ସଂସ୍ଥାମାନେ ନିଜ ମନଇଚ୍ଛା ଟିକେଟ୍ ବିକ୍ରି କରୁଛନ୍ତି। ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ରେ ସୁରତରୁ ବ୍ରହ୍ମପୁର ଟିକେଟର ମୂଲ୍ୟ ୭୧୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୧୦୦୦ରୁ ୧୨ଶହ ଟଙ୍କା ଯାଏ ବିକ୍ରି କରାଯାଉଛି। ଟିକେଟ ଖଣ୍ଡେ ପାଇବା ଲାଗି ଲୋକଙ୍କୁ କିନ୍ତୁ ସଂଗଠନର ନେତାଙ୍କ ନିକଟରେ କାକୁତି ମିନତି ହେବାକୁ ପଡ଼ୁଛି। ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ଓଡ଼ଆ ଭିଟାମାଟିକୁ ଫେରିବା ବେଳେ ବି ଶୋଷଣର ଶିକାର ହେଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Odisha-to-get-three-MEMU-trains-730x430.jpg)