ଗୁମର ଖୋଲୁଛି କରୋନା । ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଦାଦନ ଶିଶୁ । ଋତୁକାଳୀନ ସ୍କୁଲ ବନ୍ଦ ପରେ ବଢ଼ିଛି ଦୁର୍ଦ୍ଦଶା

176

କନକ ବ୍ୟୁରୋ : ଦାନା ପାଇଁ ଦାଦନ ଯାଇଥିବା ଶ୍ରମିକ ନାଁରେ ଚାଉଳ ଓ ସହାୟତା ଟଙ୍କା ହରିଲୁଟ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେପଟେ ଦାଦନଙ୍କ ପିଲାମାନଙ୍କୁ ବି ଭୋକ ଓ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଇଛି । ଋତୁକାଳୀନ ଆବାସିକ ସ୍କୁଲ ବନ୍ଦ ହୋଇଯିବାରୁ ବାହାର ରାଜ୍ୟରେ ଥିବା ଦାଦନଙ୍କ ପିଲାଙ୍କୁ ସେମାନଙ୍କ ସଂପର୍କୀୟଙ୍କ ଘରକୁ ପଠାଇ ଦିଆଯାଇଛି । ‌ତେବେ କେହି ନିକଟ ସଂପର୍କୀୟ ନ ଥିବା ପିଲାମାନେ ବାଧ୍ୟ ହୋଇ ନିଜ ଘରେ ଏକୁଟିଆ ଓ ବେସାହାରା ଭାବେ ରହିବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦ କିଛି ଚାଉଳ ଓ ସ୍ଥାନବିଶେଷରେ ନଗଦ ଟଙ୍କା ଦିଆଯାଇଥିଲେ ମଧ୍ୟ ସେମାନେ କିପରି ରାନ୍ଧି ଖାଇବେ ତାହା ଦେଖିବାକୁ କେହି ନାହାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏବେ ଏହି ଦାଦନ ଶିଶୁମାନେ ଭୋକଉପାସରେ ସଢୁଥିବାବେଳେ ସେମାନଙ୍କ ନାଁରେ ବି ଅର୍ଥ ଓ ରାସନ ହଡ଼ପର ଅଭିଯୋଗ ଉଠିଲାଣି ।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ବାଗଦୋର ପଂଚାୟତ ଥୁଡ଼ିବାହାଲ ଗାଁର ୧୧ ବର୍ଷର ଝିଅ ରୀମାରାଣୀ ମହାନନ୍ଦଙ୍କ ଏକା ଏକା ସଂଘର୍ଷର କାହାଣୀ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ‘ଥୁଡ଼ିବାହାଲ ଗାଁରେ କେବଳ ଏକା ରୀମାରାଣୀ ନୁହଁ, ଅନେକ ଦାଦନ ଯାଇଥିବା ପରିବାରର ଛୁଆପିଲା କଷ୍ଟରେ ଜୀବନ ଜିଉଁଥିବା ଦେଖିବାକୁ ମିଳିଛି। ବାପା, ମା ଫେରିନଥିବା ବେଳେ ଏପଟେ ଗାଁରେ ଥିବା ଋତୁକାଳୀନ ଆବାସିକ କେନ୍ଦ୍ର ଲକ୍‌ଡାଉନ୍ ପ୍ରାରମ୍ଭରୁ ବନ୍ଦ ହୋଇଯାଇଛି। ସେମାନେ ସବୁ ଭୋକଉପାସରେ ବି ଦିନ କାଟୁଛନ୍ତି । ଅନ୍ୟପଟେ ପଞ୍ଚାୟତର ଅନ୍ୟ କିଛି ଗାଁରେ ଋତୁକାଳୀନ ଆବାସିକ କେନ୍ଦ୍ରରେ ବାପା, ମା ଦାଦନ ଯାଇଥିବା ଦର୍ଶାଇ ଗାଁର ଛୁଆପିଲାଙ୍କ ନାଁରେ ସରକାରୀ ଟଙ୍କା ଆତ୍ମସାତ କରାଯାଇଛି ।