ମଧ୍ୟାହ୍ନ ଭୋଜନରେ ମହାଘୋଟାଲା : ୧ଲିଟର କ୍ଷୀରରେ ୧ବାଲ୍ଟି ପାଣି ମିଶାଇ ୮୫ ଛାତ୍ରଛାତ୍ରୀଙ୍କୁ ପିଇବାକୁ ଦିଆଗଲା

438

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ଅନିୟମିତତା । ଉତ୍ତରପ୍ରଦେଶରର ସୋନଭଦ୍ରରୁ ଏପରି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ସୋନଭଦ୍ରା ଜିଲ୍ଲାର ଚୋପାନ ଅଞ୍ଚଳରେ ଥିବା ଗୋଟାଏ ସରକାରୀ ପ୍ରାଥମିକ ବିଦ୍ୟାଳୟରେ  ଏକ ଲିଟର କ୍ଷୀରରେ ଏକ ବାଲ୍ଟି ପାଣି ମିଶାଇ ୮୫ ପିଲାଙ୍କୁ ପିଇବାକୁ ଦିଆଯିବାର ଖବର ଆସିଛି । ତେବେ ଏହି ଘଟଣା ପ୍ରଘଟ ହେବାପରେ ଦୁଇ ଜଣ ଶିକ୍ଷାମିତ୍ରଙ୍କୁ ବରଖାସ୍ତ କରାଯାଇଛି ।

ମିର୍ଜାପୁରରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଶୁଖିଲା ରୁଟି ସହ ଲୁଣ ପରସାଯିବା ପରେ ସାରା ଦେଶରେ ଚର୍ଚ୍ଚା ପାଲଟିଥିଲା । ଆଉ ଏବେ ପୁଣି ସୋନଭଦ୍ରରର ଗୋଟାଏ ସରକାରୀ ପ୍ରାଥମିକ ବିଦ୍ୟାଳୟରେ  ଏକ ଲିଟର କ୍ଷୀରରେ ପାଣି ମିଶାଇ ୮୫ ପିଲାଙ୍କୁ ପିଇବାକୁ ଦିଆଯାଇଛି । ରୋଷେଇଆ କ୍ଷୀରରେ ପାଣି ମିଶାଉଥିବାରର ଦୃଶ୍ୟ କେହି ଜଣେ ଷ୍ଟାଫ୍ ଉତ୍ତୋଳନ କରି ଭାଇରାଲ୍ କରିଦେଇଛନ୍ତି ବୋଲି କୁହାଯାଉଛି । ତେବେ ଶିକ୍ଷାମିତ୍ରଙ୍କ ନିର୍ଦ୍ଦେଶ ଅନୁସାରେ ଏପରି କରିଥିବା କହିଛନ୍ତି ରୋଷେଇଆ ଜଣକ ।

ତେବେ ଏ ଘଟଣା ନେଇ ଶିକ୍ଷା ଅଧିକାରୀ ସଫେଇ ଦେଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ନିଜର ଭୁଲ ହୃଦୟଙ୍ଗମ କରିପାରି ପ୍ରାୟ ୨ ଘଣ୍ଟା ପରେ ଛାତ୍ରଛାତ୍ରୀଙ୍କୁ ବଳକା କ୍ଷୀର ପିଆଇଥିଲେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି କେଉଁ ନ୍ୟାୟରେ ପ୍ରଚୁର ପରିମାଣର କ୍ଷୀର ମହଜୁଦ ଥିବା ସତ୍ୱେ ପାଣିମିଶା କ୍ଷୀର ପିଲାଙ୍କୁ ପିଇବାକୁ ଦିଆଯାଉଥିଲା । ଆଉ ଏପଟେ ଶିକ୍ଷା ଅଧିକାରୀ ସଫେଇ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଭୁଲ ବୁଝି, ତତ୍କାଳ ଭୁଲକୁ ସୁଧାରି ଦେଇଥିଲେ ।