ଭତ୍ତା ବଂଟନରେ ଅନିୟମିତତା ଅଭିଯୋଗ : ପୁରୁଷ ପାଉଛନ୍ତି ବିଧବା ଭତ୍ତା

707

କନକ ବ୍ୟୁରୋ : ପୁରୁଷ ପାଉଛନ୍ତି ବିଧବା ଭତ୍ତା । କେବଳ ଏତିକି ନୁହେଁ ୬ ଜଣ ସଧବା ମହିଳା ବି ବିଧବା ଭତ୍ତା ଉଠାଉଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅନ୍ତଗର୍ତ ଶାଳଣିଆ ପଞ୍ଚାୟତରେ ଏହିଭଳି ଭାବେ ଭତ୍ତା ପ୍ରଦାନରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।

ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଗ୍ରାମର ଦୁଇଭାଇ ରାଇ ଜେନା ପି. ହୃଷୀ, କ୍ରମିକ ନଂ (୫୧) ଓ ସୋମବାରୀ ଜେନା ପି. ହୃଷୀ କ୍ରମିକ ନଂ ( ୫୪) । ସୂଚନା ଅନୁସାରେ, ରାଇ ଓ ସୋମବାରୀ ପୁରୁଷ ଲୋକ ହୋଇଥିଲେ ବି ଦୀର୍ଘ ବର୍ଷ ହେଲା ବିଧବାଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ପାଇ ଚାଲିଛନ୍ତି। ପୁରୁଷ ହେଲେବି ସେମାନଙ୍କୁ କିଭଳି ବିଧବା ଭତ୍ତା ମିଳୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ଲକ୍ରୁ ତିନି ଦିନ ତଳେ ପଞ୍ଚାୟତକୁ ଆସିଥିବା ତାଲିକାରୁ ଏହି ଅନିୟମିତତା ଜଣାପଡ଼ିଛି ।

ଖାଲି ସେତିକି ନୁହେଁ, ୬ ଜଣ ସଧବାଙ୍କୁ ଭତ୍ତା ମିଳୁଥିବା ଏବେ ଲୋକଲୋଚନକୁ ଆସିଛି । ଏ ସମ୍ପର୍କରେ ହାଟଡିହି ବିଡିଓ ସୁଶାନ୍ତ କୁମାର ବାରିକ କହିଛନ୍ତି ଯେ, ବିଧବା ଭତ୍ତା ପାଉଥିବା ଦୁଇ ବୃଦ୍ଧଙ୍କର ଭତ୍ତା, ବାର୍ଦ୍ଧକ୍ୟ ଭତ୍ତାକୁ ପରିବର୍ତ୍ତନ କରାଯିବ । ତେବେ, ଖାଲି ଶାଳଣିଆଁ ପଞ୍ଚାୟତ ନୁହଁ, ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଶତାଧିକ ହିତାଧିକାରୀ ଏହିପରି ଜାଲ୍ ଭତ୍ତା ପାଉଥିବା ଅଭିଯୋଗ ହେଉଛି ।