ଆଇଏଏସଙ୍କ ସରଳ ଜୀବନ :  ସୁସ୍ଥ ରହିବା ସହ ଜୈବିକ ପରିବା କିଣିବା ପାଇଁ  ୧୦କିଲୋମିଟର ଚାଲୁଛନ୍ତି ମେଘାଳୟର ପ୍ରଶାସନିକ ଅଧିକାରୀ

327

 କନକ ବ୍ୟୁରୋ : ପରିବା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ଆଇଏଏସ ଅଫିସର । ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଜୀବନ ସହିତ ଜୈବିକ ପରିବା କିଣିବା ପାଇଁ ୧୦ କିଲୋମିଟର ବାଟ ଚାଲି ଚାଲି ଯାଉଛନ୍ତି ମେଘାଳୟର ଜଣେ ଆଇଏସ ଅଫିସର । ବାଉଁଶ ଝୁଡ଼ିରେ ପରିବା କାନ୍ଧରେ ବୋହି ଆଣୁଥିବାର ଏକ ଫଟୋ ସେ ଫେସ୍‌ବୁକ୍‌ରେ ସେୟାର୍‌ କରିବା ପରେ ତାଙ୍କର ଏ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଆଡୁ ପ୍ରଶଂସା ମିଳିଛି । ଆଇଏସ ଅଫିସର ଜଣକ ହେଉଛନ୍ତି ରାମ ସିଂ ।  ସେ ପଶ୍ଚିମ ଗାରୋ ହିଲସରେ ଡ଼େପୁଟି କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

 

ରାମ ସିଂ ପ୍ରତି ଶନିବାରେ ବାଉଁଶ ନିର୍ମିତ ଏକ ଝୁଡ଼ିକୁ କାନ୍ଧରେ ବୋହି ଦଶ କିଲୋମିଟର ଦୂରରେ ଥିବା ଟୁରା ହାଟକୁ ଯାଆନ୍ତି । ଜୈବିକ ପନିପରିବା ପାଇଁ ସେ ଖାସକରି ଚାଲି ଚାଲି ହାଟରେ ପହଂଚନ୍ତି । ପରିବା ନେଇ ପୁଣି ଚାଲି ଚାଲି ଘରକୁ ଫେରନ୍ତି । ବାଉଁଶ ଝୁଡ଼ିରେ ପରିବା ନେଇ ଫେରୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ଏନେଇ ରାମ ସିଂ କୁହନ୍ତି ନୋ ପ୍ଲାଷ୍ଟିକ୍, ନୋ ପଲ୍ୟୁସନ୍, ନୋ ଟ୍ରାଫିକ୍ ଜାମ୍, ଫିଟ୍ ମେଘାଳୟ, ଇଟ୍ ଅର୍ଗାନିକ୍, କ୍ଲିନ୍ ଆଣ୍ଡ ଗ୍ରୀନ୍ ଟୁର ।

 

ସୂଚନା ଅନୁସାରେ ଟୁରା ହାଟରେ ସବୁବେଳେ ଟ୍ରାଫିକ୍ ଜାମ୍ ସମସ୍ୟା ଲାଗିରହିଥାଏ । ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ରାମ ସିଂ ପ୍ରଥମେ ପାଦରେ ଚାଲି ଚାଲି ହାଟକୁ ଯିବାକୁ ନିସ୍ପତି ନେଇଥିଲେ । ଏହା ଦ୍ୱାରା କେବଳ ପରିବା କିଣିବା ନୁହେଁ ପ୍ରାତଃଭ୍ରମଣ ମଧ୍ୟ ହୋଇଥାଏ । ଗତ ୬ମାସ ହେଲା ରାମସିଂ ଏବଂ ତାଙ୍କ ପତ୍ନୀ ଏଭଳି କରି ଆସୁଛନ୍ତି । ସବୁଠୁ ବଡ଼ କଥା ହେଉଛି ତାଙ୍କର ଏଭଳି ପ୍ରୟାସ ଫଳରେ ପରିବେଶ ପ୍ରଦୁଷଣ ପାଇଁ ରାମ ସିଂ ସଚେତନତା ସୃଷ୍ଟି କରିପାରିଛନ୍ତି ।