ବର୍ଷା ଋତୁରେ ଅଧିକ ରୋଗ ସଂକ୍ରମଣ ଆଶଙ୍କା : ୩ ମାସ ସତର୍କ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

80

କନକ ବ୍ୟୁରୋ : ବର୍ଷା ଋତୁ ଆରମ୍ଭ ହୋଇସାରିଛି । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ବର୍ଷା ଋତୁରେ ଜଳବାହିତ ରୋଗର ଅଧିକ ଆଶଙ୍କା ରହିଥାଏ । ରୋଗ ସଂକ୍ରମଣ ରୋକିବା ସହ ଆଗାମୀ ୩ ମାସ ପାଇଁ ସତର୍କ ରହିବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ବର୍ଷା ଯୋଗୁଁ ମ୍ୟାଲେରିଆ ଡେଙ୍ଗୁ, ଜେଇ, ଏଇଏସ୍, ଚିକନଗୁନିଆ ଓ ଡାଇରିଆ ଭଳି ରୋଗ ଅଧିକ ବ୍ୟାପିଥାଏ । ରୋଗ ନିରାକରଣ ଦିଗରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ସଚିବାଳୟ ଠାରେ ରୋଗ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ବସିଥିଲା । ବୈଠକରେ ରୋଗ ନିୟନ୍ତ୍ରଣ ପାଇଁ ହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

ଜେଇ ଓ ଏଇଏସ୍ ରୋଗ ଚିହ୍ନଟ ପାଇଁ ସ୍ବତନ୍ତ୍ର ଭାବେ ୯ଟି ସେଣ୍ଟିନାଲ ସାଇଟ୍ ପରୀକ୍ଷାଗାର ସମେତ ସର୍ବୋଚ୍ଚ ରେଫରାଲ ପରୀକ୍ଷାଗାର ଭାବେ ଆରଏମଆରସି ରହିଛି । ୯ଟି ସେଣ୍ଟିନାଲ ସାଇଟ୍ ପରୀକ୍ଷାଗାରକୁ ଉପଯୋଗ କରିବା ସହିତ ସମସ୍ତ ପରୀକ୍ଷାରେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ୧୭ଟି ଜିଲ୍ଲାରେ ଜେଇ ଟିକା ଦିଆଯାଉଥିବା ବେଳେ ଚଳିତବର୍ଷ ଏଥିରେ ଆଉ ୭ଟି ଜିଲ୍ଲାକୁ ସାମିଲ କରାଯିବ । ଅନୁଗୁଳ, ଭଦ୍ରକ, ବରଗଡ଼, ବଲାଙ୍ଗୀର, ବୌଦ, ଜଗତସିଂହପୁର ଓ ନୟାଗଡ଼ରେ ଟିକା ଦିଆଯିବ। ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶାରିର ଜରୁରୀ ଆବଶ୍ୟକତା ଥିବା ବେଳେ କେନ୍ଦ୍ର ସରକାର ଖୁବଶୀଘ୍ର ୨୬ଲକ୍ଷ ମଶାରି ଯୋଗାଇ ଦେବେ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାର ମଧ୍ୟ ମଶାରି କିଣିବା ଦିଗରେ ଆବଶ୍ୟକ ପଦେକ୍ଷପ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗର ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ଓ ଶିଳ୍ପ ଆଦି ବିଭାଗ ସହିତ ସମନ୍ବୟ ରକ୍ଷା କରିବା ଲାଗି କୁହାଯାଇଛି । ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ପାଇଁ ତୃଣମୂଳସ୍ତରରୁ ଆଶା କର୍ମୀ ଓ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସାମିଲ କରି ବ୍ୟାପକ ଜନସେଚତନତା ଲାଗି ମତପ୍ରକାଶ ପାଇଛି । କେବିକେ ଠାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ଗୁଡ଼ିକରେ ଠିକ୍ ସ୍ବାସ୍ଥ୍ୟ ସୂଚନା ସଂଗ୍ରହ କରି ତଦାନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କୌଣସିଠାରେ ଯେଭଳି ମହାମାରୀ ନ ବ୍ୟାପେ ସେଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।