କନକ ବ୍ୟୁରୋ : ଅଯୋଧ୍ୟା ଶୁଣାଣି ପାଇଁ ୨୦୧୮ର ଥିଲା ସ୍ୱତନ୍ତ୍ର ମହତ୍ୱ । ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟର ଦୀର୍ଘ ୯ ବର୍ଷ ପରେ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଚୂଡ଼ାନ୍ତ ରାୟ ପ୍ରଦାନ କରିଥିଲେ । ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାର ରାୟ ଦେଇଥିଲେ । ୫ ଜଣିଆ ଖଣ୍ଡପୀଠଙ୍କ ରାୟ ଅନୁଯାୟୀ ୨.୭୭ ଏକର ବିଶିଷ୍ଟ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ସରକାରୀ ପରିଚାଳିତ ଟ୍ରଷ୍ଟ୍କୁ ଦିଆଯିବ ଏବଂ ମୁସଲିମ୍ ପକ୍ଷଙ୍କୁ ମସଜିଦ୍ ନିର୍ମାଣ ପାଇଁ ସହରର ଭିନ୍ନ ସ୍ଥାନରେ ୫ ଏକର ଜମି ମିଳିବ ବୋଲି ରାୟ ଶୁଣାଇଥିଲେ । ତେବେ ଏହି ଐତିହାସିକ ରାୟ ପ୍ରଦାନ କରିଥିବା ୫ ଜଣ ବିଚାରପତି ହେଉଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇ,  ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବ୍ଡ଼େ, ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଅବଦୁଲ ନଜିର ।

Advertisment

ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗଇ

ଜଷ୍ଟିସ୍ ଗୋଗଇ ଉତ୍ତରପୂର୍ବ ରାଜ୍ୟରୁ ପ୍ରଥମ ବ୍ୟକ୍ତିଭାବେ ଅକ୍ଟୋବର ୨୦୧୮ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ । ନଭେମ୍ବର ୧୭ ତାରିଖରେ ତାଙ୍କର କାର୍ଯ୍ୟକା ଶେଷ ହୋଇଛି । ଜାତୀୟ ନାଗରିକ ପଂଜିକା ସମେତ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଛନ୍ତି ଗୋଗଇ । ୨୦୧୮ ଜାନୁଆରିରେ ଗୋଗଇ ଅନ୍ୟ ୩ ଜଣ ବିଚାରପତିଙ୍କ ସହ ମିଶି ପୂର୍ବତନ ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଦ୍ବାରା ହେଉଥିବା ମାମଲା ଆବଣ୍ଟନ ବିରୋଧରେ ଅସନ୍ତୋଷ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ । ୧୯୭୮ରେ ସେ ଓକିଲାତି ଆରମ୍ଭ କରିଥିଲେ।  ଗୌହାଟି ହାଇକୋର୍ଟରୁ ପ୍ରାକ୍ଟିସ୍ ଆରମ୍ଭ କରିଥିବା ଗୋଗଇ ଫେବ୍ରୁଆରି ୨୮, ୨୦୦୧ରେ ଗୌହାଟି ହାଇକୋର୍ଟର ସ୍ଥାୟୀ ବିଚାରପତି ହେଲେ । ୯ ସେପ୍ଟେମ୍ବର ୨୦୧୦ରେ ସେ ପଂଜାବ ଏବଂ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲେ। ତେବେ ଫେବ୍ରୁଆରି ୧୨,୨୦୧୧ ରେ ସେ ପଂଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେଲେ । ଏପ୍ରିଲ ୨୩, ୨୦୧୨ରେ ଗୋଗଇଙ୍କର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ହୋଇଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବ୍ଡ଼େ

ଜଷ୍ଟିସ୍ ଏସ୍ ଏ ବୋବ୍ଡ଼େ ଦେଶର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି । ବୋବ୍ଡ଼େ ଦେଶର ୪୭ତମ ପ୍ରଧାନ ବିଚାରପତି ହୋଇଛନ୍ତି । ନାଗପୁରରେ ଜନ୍ମ ହୋଇଥିବା ବୋବ୍ଡ଼େ ୧୯୭୮ରେ ମହାରାଷ୍ଟ୍ର ବାର୍ କାଉନ୍ସିଲରେ ଯୋଗ ଦେଇଥିଲେ । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ରେ ସେ ଓକିଲାତି ଅଭ୍ୟାସ କରିଥିଲେ । ୨୦୦୨ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ରେ ସେ ପଦୋନ୍ନତି ପାଇଁ ସୁପ୍ରିମ୍ କୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ । ବୋବଡେ ପ୍ରଧାନ ବିଚାରପତି ପଦବିରେ ୧୮ ମାସ ରହିବେ । ଅଯୋଧ୍ୟା ମାମଲାକୁ ସେ ବିଶ୍ବର ଅନ୍ୟତମ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ମାମଲା ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ ।

ଜଷ୍ଟିସ୍ ଅଶୋକ ଭୂଷଣ

ଜଷ୍ଟିସ୍ ଅଶୋକ ଭୂଷଣ ୧୯୭୯ରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏପ୍ରିଲ ୨୦୦୧ରେ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ସେ ଅହ୍ଲାବାଦ ହାଇକୋର୍ଟରେ ଓକିଲାତି କରୁଥିଲେ । ୨୦୧୪ରେ ସେ କେରଳ ହାଇକୋର୍ଟକୁ ବଦଳି ହୋଇଥିଲେ । ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ଜଷ୍ଟିସ ଭୂଷଣ ମେ ୧୬, ୨୦୧୩ରେ ନିଯୁକ୍ତି ପାଇଥିଲେ ।

ଜଷ୍ଟିସ୍ ଅବଦୁଲ ନଜିର୍

ଜଷ୍ଟିସ୍ ଅବଦୁଲ ନଜିର୍ ୧୯୮୩ରେ ଓକିଲାତି ଆରମ୍ଭ କରିଥିଲେ ଏବଂ କର୍ଣ୍ଣାଟକ ହାଇକୋର୍ଟରେ ୨୦ ବର୍ଷ ଧରି ପ୍ରାକ୍ଟିସ୍ କରିଥିଲେ। ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ତାଙ୍କର ନିଯୁକ୍ତି ୨୦୧୭ ଫେବ୍ରୁଆରିରେ ହୋଇଥିଲା। ତିନି ତଲାକ ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ସେ ସାମିଲ ଥିଲେ ଏବଂ ତାଙ୍କର ମତ ଏହି ମାମଲାରେ ବେଶ୍ ଚର୍ଚ୍ଚାରେ ରହିଥିଲା।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼

ବିଚାରପତି ଡିୱାଇ ଚନ୍ଦ୍ରୂଚଡ଼ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ମେ ୨୦୧୬ରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ବମ୍ବେ ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ପୂର୍ବତନ ପ୍ରଧାନ ବିଚାପତି ଜଷ୍ଟିସ ୱାଇଭି ଚନ୍ଦ୍ରଚୂଡ଼ଙ୍କର ପୁତ୍ର ହେଉଛନ୍ତି ଡିୱାଇ ଚନ୍ଦ୍ରଚୂଡ଼। ଦେଶର ବହୁଚର୍ଚ୍ଚିତ ଗୋପନୀୟତା ଅଧିକାର ଏବଂ ପରକୀୟା ଆଇନରେ ତାଙ୍କର ରାୟ ବେଶ୍ ମହତ୍ବପୂର୍ଣ୍ଣ ଥିଲା।