ଜଙ୍ଗଲୀ ଜୀବଜନ୍ତୁଙ୍କ ଯଶୋଦା ମା’ । ରାତିଦିନ ଏକ କରି ସେବା କରୁଛନ୍ତି ରସିଲା ମହିଳା ବନରକ୍ଷକ । ୧୦୦୦ରୁ ଉର୍ଦ୍ଧ୍ୱ ପ୍ରାଣୀଙ୍କୁ ଦେଇସାରିଛନ୍ତି ନୂଆ ଜୀବନ

216

କନକ ବ୍ୟୁରୋ : ହିଂସ୍ର ଜୀବଜନ୍ତୁଙ୍କ ସେବାରେ ବ୍ରତୀ ମହିଳା ବନ ରକ୍ଷକ । ମୁହଁଖୋଲି ବେଦନା ପ୍ରକାଶ କରିପାରୁନଥିବା ନୀରିହ ଜଙ୍ଗଲୀ ଜୀବଙ୍କ  ଯଶୋଦା ମା’ । ଗିର ଅଭୟାରଣ୍ୟରେ ଫରେଷ୍ଟର ରୂପେ କାର୍ଯ୍ୟରତ ରସିଲା ବଧରେ ପଶୁପକ୍ଷୀଙ୍କ ଦୁଃଖକଷ୍ଟ କଥା ଶୁଣିଲେ ଘରେ ଚୁପ୍ ବସିପାରନ୍ତିନି । ଡ୍ୟୁଟି ସମୟ ସରିଯାଇଥିଲେ ସୁଦ୍ଧା ତୁରନ୍ତ ଜଙ୍ଗଲରେ ହାଜର ହୋଇଯାଆନ୍ତି । କୁନି ପିଲାଙ୍କୁ ଗେହ୍ଲା କଲାପରି ଉଦ୍ଧାର କରିଥିବା ଜୀବଜନ୍ତୁଙ୍କୁ କୋଳେଇ ନେଇ ଆଘାତ ଲାଗିଥିବା ସ୍ଥାନରେ ଔଷଧ ଲଗାନ୍ତି । ଆଉ ତାଙ୍କର ନିରୋଳା ସ୍ନେହ ପାଇ ବାଘ ଓ ସିଂହ ପରି ହିଂସ୍ର ଜନ୍ତୁ ତାଙ୍କ ପାଖରେ ସୁନା ପିଲା ପରି ବସିରୁହନ୍ତି । ଏବେ ସୁଦ୍ଧା ସେ ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ୧୦୦ରୁ ଅଧିକ ଜୀବଜନ୍ତଙ୍କୁ ଉଦ୍ଧାର କରି ନୂଆ ଜୀବନ ପ୍ରଦାନ କରସାରିଛନ୍ତି ।

ଜଙ୍ଗଲୀ ଜୀବଜନ୍ତୁଙ୍କ ମା ସାଜିଛନ୍ତି ରସିଲା ବଧରେ । ଦିନ ରାତି ଏକ କରି ନୀରିହ ପ୍ରାଣୀଙ୍କ ସେବାରେ ଜୀବନ ବିତାଉଛନ୍ତି । ଗିର ଅଭୟାରଣ୍ୟରେ ଫରେଷ୍ଟର ଭାବେ ଯୋଗ ଦେବାପର ଠାରୁ ୩୦୦ରୁ ଅଧିକ ବାଘ, ୫୦୦ରୁ ଅଧିକ ଚିତାବାଘ, କୁମ୍ଭୀର ଓ ବୋଡ଼ା ସାପ ଆଦିଙ୍କ ଜୀବନ ରକ୍ଷା କରସାରିଛନ୍ତି ଜଙ୍ଗଲ ରାଣୀ । ଜୀବଜନ୍ତୁଙ୍କ ଭୟ ନକରି ଗଭୀର ଆତ୍ମବିଶ୍ୱାସର ସହ ବିଶାଳ ଜଙ୍ଗଲରେ ନିର୍ଭୟରେ ବିଚରଣ କରନ୍ତି । ରସିଲା ହେଉଛନ୍ତି ପ୍ରଥମ ମହିଳା ଯିଏ ସାହସର ସହିତ ହିଂସ୍ର ପଶୁଜନ୍ତୁଙ୍କୁ ଉଦ୍ଧାର କରୁଛନ୍ତି । କେବଳ ଏତିକି ନୁହେଁ ଯତ୍ନ ନେବା ସହ ଶିକାରୀଙ୍କ ଜାଲରୁ ଜୀବଜନ୍ତୁଙ୍କୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ରସିଲା ।

ଜଙ୍ଗଲରେ ମହିଳାଙ୍କୁ ମୁତୟନ କରିବାର ପ୍ରଥମ ରାଜ୍ୟ ଗୁଜୁରାଟ । ୨୦୦୭ରେ ଗୁଜରାଟରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି, ସେହି ସମୟରେ ବନ ବିଭାଗରେ ମହିଳା ଟିମ୍ ଗଠନ କରିଥିଲେ । ଆଉ ସେତେବେଳେ ଚାକରି ଜୀବନ ଆରମ୍ଭ କରିଥିଲେ ରସିଲା । ୨୦୦୮ରୁ  ପ୍ରତିଦିନ ରସିଲା ଜଙ୍ଗଲ ଯିବା ଆରମ୍ଭ କରିଥିଲେ । ପୂର୍ବରୁ ସେ ୱାଇଲ୍ଡ ଲାଇପ୍ ଗାଇଡ଼୍ ଭାବେ କାମ  କରୁଥିଲେ । ଗତବର୍ଷ ଗୁଜରାଟ ସରକାର ରସିଲାଙ୍କ କାମ ଓ କର୍ତ୍ତବ୍ୟପରାୟଣତା ପାଇଁ ସମ୍ମାନିତ କରିସାରିଛନ୍ତି । ଜୀବଜନ୍ତୁଙ୍କ ସେବାର ଜୀବନକୁ ସମର୍ପିତ କରିଥିବା ଏହି ଜଙ୍ଗଲ ରାଣୀଙ୍କୁ ଶତ ଶତ ପ୍ରଣାମ ।