ପେସାରେ ବହି ବନ୍ଧାଳୀ, ନିଶା ରୋଗୀ ସେବା : ଅଚିହ୍ନା ଶବର ସାଥୀ ଓ ଅସହାୟ ରୋଗୀଙ୍କ ଦେବଦୂତ କଟକର ଅଭିମନ୍ୟୁ

346

କନକ ବ୍ୟୁରୋ : ପେସାରେ ବହି ବନ୍ଧାଳୀ, ନିଶା କିନ୍ତୁ ରୋଗୀ ସେବା । କର୍କଟ ରୋଗୀଙ୍କ ଦେବଦୂତ ଆଉ ଅଚିହ୍ନା ଶବର ସାଥୀ । ଏପରି ଜଣେ ନିଆରା ମଣିଷ ହେଲେ କଟକର ଅଭିମନ୍ୟୁ । ଏସସିବି ମେଡ଼ିକାଲ ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏକ ପରିଚିତ ନାଁ । ମେଡ଼ିକାଲରେ କାହାର କିଛି ହେଲେ, ଅସହାୟ ରୋଗୀ ଟିଏ ଆସିଲେ କିମ୍ବା ଅଲୋଡ଼ା ଶବଟିଏ ପଡ଼ିଥିଲେ ପ୍ରଥମେ ଖୋଜାପଡ଼ନ୍ତି ଅଭିମନ୍ୟୁ । ଆଉ ସବୁ କାମଧନ୍ଦା ଛାଡ଼ି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଧାଇଁ ଆସନ୍ତି ଏହି ନିଆରା ମଣିଷ ଜଣକ ।

କଟକ ନେତାଜୀ ନଗରରର ଅଭିମନ୍ୟୁ । ସ୍ତ୍ରୀ ଓ ପୁଅକୁ ନେଇ ସୁଖର ସଂସାର । ପେସା ତାଙ୍କର ବହି ବାନ୍ଧିବା । ନିଶା କିନ୍ତୁ ଅସହାୟଙ୍କ ସେବା ।  ବହି ବନ୍ଧାରୁ ମିଳୁଥିବା ଟଙ୍କା ନିଅଂଟ ହେଲେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ କେବେ ପଛଘୁଞ୍ଚା ଦେଇନାହାନ୍ତି । ଦୀର୍ଘ ୧୦ ବର୍ଷ ହେବ ସେ ରୋଗୀ ସେବାରେ କରିଆସୁଛନ୍ତି । ପ୍ରତ୍ୟେକ ଦିନ ଦୂରଦୂରାନ୍ତରରୁ ଅନେକ ଅସହାୟ ଲୋକ ଜୀବନ ପାଇବା ପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଧାଇଁ ଆସନ୍ତି  । ସେମାନଙ୍କ ମଧ୍ୟରୁ ଏପରି ଅନେକ ଲୋକ ଥାଆନ୍ତି, ଯେଉଁମାନେ ବେସାହାରା ଆଉ ନିସହାୟ । ସେପରି ରୋଗୀଙ୍କ ପାଇଁ ଦେବଦୂତ ହୋଇ ଛିଡ଼ା ହୁଅନ୍ତି ଅଭିମନ୍ୟୁ । ନିଜ ଲୋକ ପରି ପାଖରେ ଛିଡ଼ା ହୁଅନ୍ତି । ଅସହାୟ ରୋଗୀଙ୍କୁ ଡ୍ରେସିଂ କରିବା ଠାରୁ ଆରମ୍ଭ କରି ତାଙ୍କର ଦେଖାଶୁଣା କରନ୍ତି । କେବଳ ରୋଗୀସେବା କରନ୍ତି ତାହା ନୁହେଁ ଅସହାୟ ଏବଂ ଅଚିହ୍ନା ଶବର ସାଥୀ ହେଉଛନ୍ତି ଅଭିମନ୍ୟୁ । ଏପର୍ଯ୍ୟନ୍ତ ସେ ୪ ହଜାରରୁ ଅଧିକ ବେସାହାରା ରୋଗୀଙ୍କ ସେବା କରି ସାରିଥିବା ବେଳେ ୧୨ ଶହରୁ ଅଧିକ ଶବଦାହ କରିସାରିଲେଣି ।

ନିଆରା ମଣିଷର ନିଆରା କାମ ପାଇଁ ଅଜସ୍ର ପ୍ରଶଂସା ଏବଂ ପୁରସ୍କାର ମିଳିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସମ୍ବର୍ଧିତ କରିଛନ୍ତି । ଏହା ସହ ବହୁ ବଡ ବଡ ଅନୁଷ୍ଠାନ ମଧ୍ୟ ତାଙ୍କ କାର୍ଯ୍ୟ ପାଇଁ ଅନେକ ପ୍ରଶଂସାପତ୍ର ଏବଂ ମାନପତ୍ର ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ପ୍ରଶଂସା ପାଇଁ ନୁହେଁ ଆତ୍ମତୃପ୍ତି ପାଇଁ ରୋଗୀ ସେବା କରୁଛନ୍ତି ବୋଲି କହନ୍ତି ଅଭିମନ୍ୟୁ । ଅସହାୟ ନିରାଶ୍ରୟଙ୍କୁ ସାହାଯ୍ୟ କଲେ ଆତ୍ମାକୁ ଶାନ୍ତି ମିଳିବା ସହ ଆନନ୍ଦ ମିଳେ । ଗୋଡ଼ ହାତ ଚାଲୁଥିବା ପର୍ଯ୍ୟନ୍ତ ରୋଗୀ ସେବା କରୁଥିବି ବୋଲି କହନ୍ତି ଅଭିମନ୍ୟୁ ।

ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଅସହାୟ ଏବଂ ଅଚିହ୍ନା ଲୋକଙ୍କ ସେବା କରୁଛନ୍ତି । ଅଭିମନ୍ୟୁ ଏପରି କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।