ଦେଶର ମୁଡ଼୍ ଜାଣିବା ପରେ ଚିନ୍ତିତ ବିରୋଧୀ ! ବୁଥ୍ ବାହୁଡ଼ା ମତ ଯୋଗୁଁ ଟେନସନରେ ବସପା ସୁପ୍ରିମୋ ମାୟାବତୀ, ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀ ଗସ୍ତ ରଦ୍ଦ

278

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଗତକାଲି ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି । ଅଳ୍ପ ବହୁତେ ଦେଶର ମୁଡ଼ ସ୍ପଷ୍ଟ ହୋଇଛି । ପୁଣି ଥରେ ଦିଲ୍ଲୀରେ ରାଜମୁକୁଟ ପିନ୍ଧିବ ବିଜେପି । ଅବକି ବାର ଫିର ସେ ମୋଦି ସରକାର । ବିଜେପିର ଏହି ସ୍ଲୋଗାନ ବୋଧହୁଏ ସତ ହେବାକୁ ଯାଉଛି । ତେବେ ବୁଥ ବାହୁଡ଼ା ମତରେ ମୋଦି ଲେହେରର ସୁନାମୀ ପରେ ଚିନ୍ତିତ ହୋଇପଡ଼ିଛନ୍ତି ବସପା ସୁପ୍ରିମୋ ମାୟାବତୀ । ବସପା ନେତା ଏସଏସି ମିଶ୍ରାଙ୍କ ଅନୁସାରେ ମାୟାବତୀ ଆଜି ଲକ୍ଷ୍ନୌରେ ହିଁ ରହିବେ । ଦିଲ୍ଲୀରେ କୌଣସି ମିଟିଂ ହେବନାହିିଁଁ କି ମାୟାବତୀ କୌଣସି ବୈଠକରେ ଆଜି ଯୋଗଦେବାର ଯୋଜନା ନାହିଁ ।

ନୂଆ ସରକାର ଗଢ଼ିବା ପାଇଁ ବସପା ସୁପ୍ରିମୋ ମାୟାବତୀଙ୍କ ପାଇଁ ଏହି ବୈଠକୁକ ବହୁତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିଲା । କିନ୍ତୁ ବୁଥ ବାହୁଡ଼ା ମତାମତ ଆସିବା ପରେ ବୈଠକକୁ ଟାଳି ଦିଆଯାଇଛି । ଗତକାଲି ହୋଇଥିବା ଏକଜିଟ ପୋଲିରେ ମୋଦି ସୁନାମୀ ସ୍ପଷ୍ଟ ନଜର ଆସିଛି । ଏବେ ବି ଲୋକଙ୍କ ପ୍ରଥମ ପସନ୍ଦ ମୋଦି ବୋଲି ସ୍ପଷ୍ଟ ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ମାୟାବତୀ କେନ୍ଦ୍ରରେ ନୂଆ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ଏକ ବୈଠକରେ ଯୋଗଦେଇଥାନ୍ତେ । ବିରୋଧୀଙ୍କୁ ଏକାଠି କରିବା ମଧ୍ୟରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସାକ୍ଷାତ କରିଥାଆନ୍ତେ ମାୟାବତୀ ।

ଅନ୍ୟପଟେ ଏକଜିଟ୍ ପୋଲ ଆସିବା ପରେ ୨୧ମେ ପରିବର୍ତ୍ତେ ୨୪ ମେ ରେ ହେବ ବିରୋଧୀଙ୍କ । ଆଜି ବୈଠକ ଅନୁଷ୍ଠିତ ହେବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରଣ ହୋଇଥିଲେ ହେଁ ବୁଥ ବାହୁଡ଼ା ମତ ଆସିବା ପରେ ଟଳିଯାଇଛି ବିରୋଧୀଙ୍କ ବୈଠକ । ବୈଠକ ୨୧ ପରିବର୍ତ୍ତେ ୨୪ ମେରେ ହେବ ବୋଲି ସୂଚନା ମିଳିଛି । ଚନ୍ଦ୍ରବାବୁ ନାଇଡ଼ୁ ୨୧ ମେରେ ବିରୋଧୀଙ୍କ ବୈଠକ ଅନଷ୍ଠିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅଧିକତର ବିରୋଧୀ ଦଳ ନିର୍ବାଚନ ଫଳାଫଳା ଆସିବା ପରେ ବୈଠକ ଅନୁଷ୍ଠିତ ହେବା ଉଚିତ ବୋଲି ମତ ଦେଇଥିଲେ ।