କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସ ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଂଟାରୀ ପରକ୍ଷା । ଜୁନ୍ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ପରୀକ୍ଷା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ । ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା ସୂଚୀରେ କିଛିଟା ପରିବର୍ତ୍ତନ ହୋଇଛି । ଆସନ୍ତା ପରୀକ୍ଷାରେ ଦୁଇଟି ପରୀକ୍ଷା ମଧ୍ୟରେ ଫାଙ୍କା ଦିନ ରଖାଯାଇ ନାହିଁ । ସେହିପରି ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଗୋଟିଏ ଦିନରେ ନହୋଇ ପୃଥକ ପୃଥକ ଭାବେ ଦୁଇ ଦିନରେ ହେବ । ଗଣିତ ବ୍ୟତୀତ ସମସ୍ତ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ଚାଲିବ । ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ମିଳିବ ।

Advertisment

publive-image source:Hindustan

ସକାଳ ୯ଟାରୁ ୧୦ଟା ପର୍ୟ୍ୟନ୍ତ ଓଏମ୍ଆର୍(ସଂକ୍ଷିପ୍ତ ଉତ୍ତରମୂଳକ) ପରୀକ୍ଷା ଓ ୧୦ଟାରୁ ୧୧ଟା ୩୦ ପର୍ୟ୍ୟନ୍ତ ଦୀର୍ଘ ଉତ୍ତରମୂଳକ ପରୀକ୍ଷା ଅନୁଷ୍ଠିତ ହେବ । ଜୁନ୍ ୨୨ରେ ପ୍ରଥମ ଭାଷା, ଜୁନ୍ ୨୩ରେ ଦ୍ୱିତୀୟ ଭାଷା ଇଂରାଜୀ, ଜୁନ୍ ୨୪ ତାରିଖ ରବିବାରରେ ଭିଜୁଆଲ୍ ଆର୍ଟ, ଜୁନ୍ ୨୫ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି, ଭିଜୁଆଲ ଆର୍ଟ ଥିଓରି), ଜୁନ୍ ୨୬ରେ ତୃତୀୟ ଭାଷା ସଂସ୍କୃତ, ଜୁନ୍ ୨୭ରେ ଗଣିତ, ଜୁନ୍ ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ କେନ୍ଦ୍ରୀୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରଣ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୪ ତାରିଖ ସକାଳ ୮ଟାରୁ ଅନ୍ଲାଇନ୍ରେ ଫର୍ମପୂରଣ ଆରମ୍ଭ ହୋଇ ମେ’ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନେ ମେ ୩୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଫି ଦାଖଲ କରିପାରିବେ ଓ ମେ’ ୩୧ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନ୍ଲାଇନରେ ଫର୍ମ ଦାଖଲ କରିପାରିବେ।

publive-image

ସପ୍ଲିମେଣ୍ଟାରୀ ଫର୍ମପୂରଣ ସଂକ୍ରାନ୍ତ ସମସ୍ତ ସୂଚନା ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି । ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅନୁଷ୍ଠାନର ମୁଖ୍ୟ ବା ପ୍ରଧାନଶିକ୍ଷକ ମାନେ ଫର୍ମ ପୂରଣ କରିବେ । ଏକ୍ସରେଗୁଲାର, ପତ୍ରବିନିମୟ ଛାତ୍ରଛାତ୍ରୀମାନେ ଜୋନାଲ୍ ଡେପୁଟି ସେକ୍ରେଟାରୀଙ୍କ ମାଧ୍ୟମରେ ଅଫଲାଇନ୍ ଫର୍ମ ପୂରଣ କରିବେ । ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମପୂରଣ ଦେୟ ୩୮୩ ଟଙ୍କା ରହିଥିବା ବେଳେ ଅନ୍ୟମାନଙ୍କ ଏହି ଦେୟ ୪୭୫ ଟଙ୍କା ଧାର୍ୟ୍ୟ କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ୍ ଆରା ବେଗମ୍ ଓ ସଂପାଦକ ରାମାଶିଷ ହାଜରା ଉପସ୍ଥିତ ଥିଲେ ।