ଆଜିଠୁ ମାଟ୍ରିକ ଖାତାଦେଖା : ରାଜ୍ୟର ୬୦ଟି କେନ୍ଦ୍ରରେ ସକାଳ ୧୦ଟାରୁ ୩ଟା ଯାଏ ଖାତା ଦେଖିବେ ମୂଲ୍ୟାୟନକାରୀ, ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

151

କନକ ବ୍ୟୁରୋ : ଦୁଇ ଦୁଇଥର ବନ୍ଦ ରହିବା ପରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ରାଜ୍ୟର ୬୦ ଟି କେନ୍ଦ୍ରରେ ଖାତା ଦେଖିବେ ମୂଲ୍ୟାୟନକାରୀ । ସକାଳ ୧୦ଟାରୁ ଅପରାହ୍ମ ୩ଟା ଯାଏ ଗୋଟିଏ ସିଫ୍ଟରେ ହିଁ ଖାତା ଦେଖା ହେବ । କରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କମ୍ ମୂଲ୍ୟାୟନକାରୀ ଖାତା ଦେଖିବେ । ଏଥିସହ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ହ୍ରାସ କରା ଯାଇଛି । ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ଖାତାଦେଖା ବେଳେ ମୂଲ୍ୟାୟନକାରୀ ମାସ୍କ ଲଗାଇବାକୁ ବାଧ୍ୟ ।

କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସେପଟେ ଖାତା ଦେଖା ପୂର୍ବରୁ ସମସ୍ତ କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ମାର୍ଚ୍ଚ ୧୯ ତାରିଖରେ ପ୍ରଥମେ ଖାତା ଦେଖା ଆରମ୍ଭ ହୋଇଥିଲା । ତେବେ କରୋନା ପାଇଁ ଲକଡାଉନ୍ ଯୋଗୁଁ ଖାତାଦେଖା ବନ୍ଦ ରହିଥିଲା । ଏହାପରେ ଦୁଇ ଦୁଇ ଥର ଖାତାଦେଖା ପାଇଁ ତାରିଖ ଘୋଷଣା ହୋଇଥିଲା । ପ୍ରଥମେ ମେ ୨୦ ତାରିଖ ଏବଂ ପରେ ଆଉ ଗୋଟିିଏ ଦିନ ଅର୍ଥାତ୍ ମେ ୨୧ ତାରିଖରେ ଖାତା ଦେଖା ହେବ ବୋଲି ଗଣଶିକ୍ଷା ବିିଭାଗ ଘୋଷଣା କରିଥିଲା । ତେବେ ବାତ୍ୟା ଅମ୍ଫାନ ପାଇଁ ଖାତା ଦେଖା ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଥିଲା । ଶେଷରେ ମେ ୨୬ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । ଆସନ୍ତା ୪୫ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.