ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ : ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର ପିଲା, ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ ଲକର ବ୍ୟବସ୍ଥା

447

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥର ସାରା ରାଜ୍ୟରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ପ୍ରଥମ ଦିନରେ ଅର୍ଥାତ ଆଜି ପରୀକ୍ଷା କେନ୍ଦ୍ର ସକାଳ ୯ଟାରେ ଓ ଅନ୍ୟ ଦିନରେ ସକାଳ ୯ଟା ୨୦ରେ ଖୋଲାଯିବ । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯିବ ଓ ୯ଟା ୪୫ରେ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ପ୍ରଶ୍ନପତ୍ର ପଢ଼ିବା ପାଇଁ ପିଲାଙ୍କୁ ୧୫ ମିନିଟ ସମୟ ମିଳିବ ।

ପ୍ରଶ୍ନପତ୍ର ବୁକଲେଟରେ ପରୀକ୍ଷାର୍ଥୀ ନିଜ ରୋଲ ନମ୍ବର, ସେଂଟର କୋଡ, ସ୍କୁଲ କୋର୍ଡ ଲେଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସକାଳୁ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ସରିବ । ତେବେ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ୍ ସମୟ ଦିଆଯିବ । ଗଣିତ ଦିନ ପରୀକ୍ଷା ୧୨ଟା ୪୫ରେ ସରିବ । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିପାରିବେ ନାହିଁ । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳ ୬ଟାରୁ ୮ଟା ମଧ୍ୟରେ ପ୍ରଶ୍ନପତ୍ର ନୋଡାଲ ସେଂଟରରୁ ଡେସପାଚ ଟିମ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ପହଁଚିବ । ସେହି ଟିମ ପରୀକ୍ଷା ଶେଷ ହେବା ପରେ ଖାତାକୁ ଆଣି ପୁଣି ନୋଡାଲ ସେଂଟରରେ ଡିପୋଜିଟ୍ କରିବେ । ଏଥିସହ ପରୀକ୍ଷା କେନ୍ଦ୍ରରେ କେବଳ ସୁପରିଂଟେଣ୍ଡଟଙ୍କ ବ୍ୟତୀତ ଆଉ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ ।

ଏପରିକି ହଲକୁ ଯିବାବେଳେ ସୁପରିଂଟେଣ୍ଡଟ ମଧ୍ୟ ମୋବାଇଲ ନେଇ ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ଗତବର୍ଷ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସାମନାକୁ ଆସିଥିଲା । ତେବେ ଚଳିତବର୍ଷ ପ୍ରଶ୍ନପତ୍ରରେ ଡିଜିଟାଲ ଲକର ବ୍ୟବସ୍ଥା ହୋଇଥିବାରୁ ଭାଇରାଲ ହେଲେ ଜଣାପଡିବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।