ମେ ୨୦ରୁ ମାଟ୍ରିକ ପରୀକ୍ଷା ଖାତାଦେଖା : ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

497

କନକ ବ୍ୟୁରୋ : ସଂକ୍ରମଣ ଭୟ ଭିତରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ମେ ୨୦ରୁ ମାଟ୍ରକି ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ମେ’ ୧୯ରୁ ଖାତା ଦେଖିବାକୁ ପରୀକ୍ଷା ନିରୀକ୍ଷକ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାଟ୍ରକି ଖାତା ମୂଲ୍ୟାୟନ ନେଇ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କ ସମେତ ଅଧିକାରୀମାନଙ୍କୁ ଏକ ବୈଠକ ବସିଥିଲା । ବୈଠକରେ ଖାତା ମୂଲ୍ୟାୟନ ତାରିଖ ଚୂଡାନ୍ତ ହୋଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ ।

ଖାତାଦେଖା ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ମୂଲ୍ୟାୟନ କ୍ରେନ୍ଦ୍ରରେ କୋଭିଡ଼୍ ଗାଇଡ଼ଲାଇନର ଅନୁପାଳନ ହେବ । ତେବେ ଖାତାଦେଖୁଥିବା ଶିକ୍ଷକ ଶିକ୍ଷୟତୀଙ୍କୁ ଚଳିତ ବର୍ଷ ସ୍ୱତନ୍ତ୍ର ଇନସେଣ୍ଟିଭ୍ ଦିଆଯିବ ବୋଲି ବୋର୍ଡ଼କୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏନେଇ ବୈଠକରେ କୌଣସି ନଷ୍ପତ୍ତି ହୋଇନି । ଫେବୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଧରି ଖାତା ଦେଖା ହୋଇଥିଲା । ଏହା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା । ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ।