ଦିଲ୍ଲୀରେ ସରକାରୀ ସ୍କୁଲ ବୁଲିବା ସହ ଭିତ୍ତିଭୂମି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ନୂଆ ନୀତି ଆଣିବା ସମ୍ଭାବନା

1,192

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ସ୍କୁଲ ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀପଦ ସମ୍ଭାଳୁ ସମ୍ଭାଳୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ସମୀର ଦାସ । କେବଳ ରାଜ୍ୟରେ ନୁହେଁ ଅନ୍ୟ ରାଜ୍ୟରେ ପାଠପଢ଼ା କେମିତି ଚାଲିଛି ତାହା ଦେଖିବା ପାଇଁ ସେ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀ ପଠାଣଗଞ୍ଜ ବିନୋଦ ନଗରର ଏକ ସରକାରୀ ସ୍କୁଲକୁ ବୁଲି ଦେଖିଛନ୍ତି ସମୀର ଦାସ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଢିବା ପରେ ସରକାରୀ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇଛି ।

ସରକାରୀ ସ୍କୁଲ ଗୁଡିକର ଅବସ୍ଥା ସୁଧୁରୁଛି । ଘରୋଇ ସ୍କୁଲଗୁଡିକ ଅପେକ୍ଷା ସରକାରୀ ସ୍କୁଲଗୁଡିକର ରେଜଲ୍ଟ ଭଲ ରହୁଛି । ସ୍କୁଲଗୁଡିକର ଭିତ୍ତିଭୂମିରେ ବି ସୁଧାର ଆସିଛି । ଦିଲ୍ଲୀର ସ୍କୁଲଗୁଡିକରେ ପାଠ ପଢାଇଲାଭଳି ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥା ରହିଛି । ସ୍କୁଲ ବୁଲିଲା ବେଳେ ସମୀର ଦାସଙ୍କ ସହ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ଶିଷୋଦିଆ ଓ କିଛି ଶିକ୍ଷା ସଂସ୍କାରକ ବି ସାମିଲ ହୋଇଥିଲେ ।

ରାଜଧାନୀ ଦିଲ୍ଲୀରେ କିପରି ଚାଲିଛି ପାଠପଢ଼ା ? କେଉଁ ପଦ୍ଧିତିରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ଦିଲ୍ଲୀ ସ୍କୁଲରେ ଏହି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେଠାକାର ଶିକ୍ଷା ପଦ୍ଧତି ବିଷୟରେ ଜାଣି ରାଜ୍ୟରେ ପରିବର୍ତ୍ତନ କରାଇ ପାରନ୍ତି ବୋଲି ଆଶା କରାଯାଉଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିପଡ଼ିଛନ୍ତି । ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି । ଏବେ ଏହା ଚ୍ୟାଲେଞ୍ଜର ବିଷୟ ପାଲଟିଛି । ରାଜ୍ୟରେ ସରକାରୀ ସ୍କୁଲରେ ମାଗଣା ବହି, ପୋଷାକ , ମଧ୍ୟାହ୍ନ ଭୋଜନ ଦେଲେ ମଧ୍ୟ ଛାତ୍ରଛାତ୍ରୀ ଉପସ୍ଥାନ କମୁଛି । ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ସ୍କଲରେ ପାସ୍ ହାର କମୁଛି । ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିଭାବକ ସମସ୍ତେ ଇଂରାଜୀ ମାଧ୍ୟମ ସ୍କୁଲ ମୁହାଁ ହେଉଛନ୍ତି । ସରକାରୀ ସ୍କୁଲରେ ଉପସ୍ଥାନ ବଢ଼ିବ ସହ ଉତ୍ତମ ପ୍ରଦର୍ଶନ ପାଇଁ ଲାଗିପଡ଼ିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟ ଗଣଶିକ୍ଷାମନ୍ତ୍ରୀ ନିୟମିତ ବ୍ୟବଧାନରେ ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନରେ ପହଞ୍ଚି ଯାଉଛନ୍ତି । ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆବଶ୍ୟକତା ଥିବା ଚିନ୍ତା କରି ସେ ଅଚାନକ ସ୍କୁଲ ପରିଦର୍ଶନରେ ଯାଉଛନ୍ତି । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ବାହାରକୁ ଯାଇ ପରୀକ୍ଷା ନିରୀକ୍ଷା ଆରମ୍ଭ ମଧ୍ୟ କରଦେଲେଣି ଗଣଶିକ୍ଷା ମନ୍ତ୍ରୀ ।