ମାସ୍କ ପିନ୍ଧ, ଜରୁରୀ ସାମଗ୍ରୀ ନିଅ : ମାସ୍କ ନପିନ୍ଧିଲେ ମିଳିବନି ସଉଦା, ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

507

କନକ ବ୍ୟୁରୋ : ମାସ୍କ ପିନ୍ଧ, ଜରୁରୀ ସାମଗ୍ରୀ ନିଅ । ମାସ୍କ ବ୍ୟବହାରକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି । ମାସ୍କ ପିନ୍ଧି ଆସିବନି ତ ଗ୍ରୋସରୀ ମିଳିବନି, ପନିପରିବା ଦୋକାନରେ ପନିପରିବା ମିଳିବନି । ସେହିପରି ଫଳ ଦୋକାନକୁ ମାସ୍କ ପିନ୍ଧି ନଗଲେ ଫଳ ବି ମିଳିବନାହିଁ ।  ସମସ୍ତ ଦୋକାନୀ ଗୁଡିକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି  ।ଏନେଇ ସମସ୍ତ ଦୋକାନ ଗୁଡିକ ଆଗରେ ସୂଚନା ଫଳକ ଝୁଲାଇବେ । ଦୋକାନୀମାନେ ଏହା ପାଳନ ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟୁଇଟ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେପଟେ ଭୁବନେଶ୍ୱରରେ ବି ଆଜିଠାରୁ ମାସ୍କ ଚେକିଂକୁ କଡାକଡି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପୁଲିସ ସଚେତନ କରୁଛି । ଅନେକ ସ୍ଥାନରେ ଲୋକେ ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି ।

ଆଜି ଠାରୁ ଘରୁ ପଦାକୁୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । ଆଜି ଠାରୁ ସକାଳ ୭ ଟା ରୁ ଏହି ନିର୍ଦ୍ଦେଶ ସାରା ରାଜ୍ୟରେ ଲାଗୁ ହେବା ନେଇ ଆଗରୁ ଘୋଷଣା କରିସାରିଥିଲେ ରାଜ୍ୟ ସରକାର । ମାସ୍କ ଏପରି ବ୍ୟବହାର କରିବେ ଯେପରି ଏହା ଦ୍ୱାରା ଆପଣଙ୍କ ମୁହଁ ଓ ନାକ ଢାଙ୍କି ହୋଇ ରହୁଥିବ । ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ , ଲୋକଙ୍କ ମଧ୍ୟରେ ଏହି ବାର୍ତା ଜରିଆରେ ସଚେତନତା ସୃଷ୍ଟି କରିବାକୁ ଏହା ଏକ ବଡ ବାଟ ବୋଲି କୁହାଯାଉଛି । କରୋନା ବିରୋଧରେ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ମାସ୍କ ନଥିଲେ ରୁମାଲ ଓ କପଡା ମଧ୍ୟ ବ୍ୟବହାର କରିହେବ । ତେବେ ଏହା ଯେପରି ୨ ସ୍ତରୀୟ ବିଶିଷ୍ଟ ହୋଇଥିବ । ଜଣେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣେ ବ୍ୟବହାର କରିପାରିବେ ନାହିଁ । ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ନେଇ ଗତ ସୋମବାର ଏସଆରସି ପକ୍ଷରୁ ସୂଚନା ଦିଆଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ ବାହାରକୁ ବାହାରିଲେ ମାସ୍କ ଆପଣଙ୍କୁ ଅନେକାଂଶରେ ସୁରକ୍ଷା ଦେଇପାରିବ ।