ମାର୍କଫେଡକୁ ନେଇ ମହାଭାରତ, କେନ୍ଦ୍ରାପଡାରୁ ବିଧାନସଭା ! ଜିଲ୍ଲା ବିଜେଡି ସଭାପତିଙ୍କ ସହ ସାମ୍ବାଦିକଙ୍କ ତୁତୁ ମେମେ, ପ୍ରସଙ୍ଗ ପଛରେ ରହିଛି କି ରାଜନୀତି ?

31

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାରେ ମାର୍କଫେଡ୍ ମହାଦୁର୍ନୀତି । ଆଉ ଏବେ ଏହି ଦୁର୍ନୀତିକୁ ନେଇ ସୃଷ୍ଟି ହୋଇଛି ମହାଭାରତ । ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି । ଏହି ଦୁର୍ନୀତିରେ ସ୍ଥାନୀୟ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଦାୟୀ କରି ଗତକାଲି ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ପ୍ରେସମିଟ୍ କରିଥିଲେ । ଆଜି ବିଧାୟକ ଅଂଶୁମାନ, ଧ୍ରୁବ ସାହୁଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ତୁତୁ ମେମେ । ସାମ୍ବାଦିକ ବନାମ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ । କେନ୍ଦ୍ରାପଡାରେ ମାର୍କଫେଡ୍ ଦୁର୍ନୀତି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଧ୍ରୁବ ସାହୁ । ହେଲେ ଜିଲ୍ଲା ସଭାପତିଙ୍କୁ ପ୍ରଶ୍ନବାଣରେ ଘେରିଯାଇଥିଲେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ । ବେଶ୍ କିଛି ସମୟ ଧରି ଚାଲିଲା ଟଣାଓଟରା । ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ବିରୋଧରେ ଖବର ପ୍ରସାରଣ କରିଥିିବା ଅଭିଯୋଗ କରିଥିଲେ ଧ୍ରୁବ ସାହୁ । ଆଉ ତାର ଜବାବ ରଖିଥିଲେ ସାମ୍ବାଦିକ ।

ଆଉ ଏହି ପ୍ରସଙ୍ଗକୁ ଆଜି ବିଧାନସଭାରେ ଉଠାଇବାକୁ ଅଂଟା ଭିଡିଥିଲା କଂଗ୍ରେସ । ଏପରିକି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଥାନ୍ତା ଦଳ । ହେଲେ ପ୍ରଶ୍ନକାଳରେ ମହାନଦୀ ପ୍ରସଙ୍ଗ ଉଠାଇ ସରକାରୀ ଦଳର ସଦସ୍ୟ ଜାଣିଶୁଣି ବିଭ୍ରାଟ ସୃଷ୍ଟି କରିଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାକୁ ନେଇ ତୁମ୍ବିତୋଫାନ ବି ଦେଖିବାକୁ ମିଳିଥିଲା । ସେପଟେ ଦଳୀୟ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି, କ୍ରାଇମବ୍ରାଂଚ୍ କିମ୍ବା ଭିଜିଲାନ୍ସ ତଦନ୍ତ କରାଗଲେ କେନ୍ଦ୍ରାପଡାରେ ମାର୍କଫେଡ୍ ଦୁର୍ନୀତିର ସତ ପଦାକୁ ଆସିପାରିବ । ଗତକାଲି କିନ୍ତୁ ଧ୍ରୁବ ସାହୁ ଅଙ୍ଗୁଳି ଦେଖାଇଥିଲେ ଅଂଶୁମାନଙ୍କ ଆଡକୁ । ମାର୍କଫେଡ୍ ହେଉଛି ଏକ ସଂସ୍ଥା ତଥା ବଜାର ନିୟନ୍ତ୍ରିତ କମିଟି । ଚାଷୀଙ୍କଠାରୁ ଧାନ କିଣି ମିଲରଙ୍କୁ ବିକ୍ରି କରିଥାଏ ଏହି ସଂସ୍ଥା । ତେବେ ଅଭିଯୋଗ ଅନୁସାରେ, ଧ୍ରୁବ ସାହୁ କିଛି ନକଲି ଚାଷୀଙ୍କ ତାଲିକା ତିଆରି କରି ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା ।