କନକ ବ୍ୟୁରୋ : ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ । ମେସିନ୍ ପୋଡ଼ି ପକାଇଲେ ମାଓବାଦୀ । ସୋମବାର ରାତି ଅଧରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ନିୟୋଜିତ କେତେକ ଯନ୍ତ୍ରପାତି ବା ମେସିନ୍ ପୋଡ଼ି ପକାଇଛନ୍ତି ।
ନିୟମଗିରି ଅଞ୍ଚଳର ପାରସାପାଲି ଗ୍ରାମପଞ୍ଚାୟତର ଗୁମା ଗାଁ ନିକଟରେ ଘଟଣାଟି ଘଟିଛି । ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ତିଆରି ଚାଲିଥିଲା । ଏହାକୁ ବିରୋଧ କରି ରାତି ପ୍ରାୟ ୧୨ଟା ବେଳେ ୬୦ ଊର୍ଦ୍ଧ୍ୱ ମାଓବାଦୀ ସେଠାକୁ ଆସି ପ୍ରଥମେ ଦୁଇଜଣ ଶ୍ରମିକଙ୍କୁ ବାନ୍ଧି ବହେ ମାରଧର କରିବା ସହ ସେମାନଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଲେ । ତା’ପରେ ସେମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଦୁଇଟି ଜେସିବି, ଗୋଟାଏ ରୋଲର୍ ଏବଂ ଗୋଟାଏ ମିକ୍ସର୍ ମେସିନ୍ ପୋଡ଼ି ପକାଇଲେ ।
ଘଟଣାସ୍ଥଳରେ ସେମାନେ ଲଗାଇଥିବା ତିନିଟି ପୋଷ୍ଟର୍ରେ ଲେଖାଯାଇଛି ଯେ ଖଣି ଖନନ ନିମନ୍ତେ ନିୟମଗିରିକୁ ବେଦାନ୍ତ ହାତକୁ ଟେକି ଦେବା ଲାଗି ରାସ୍ତା ନିର୍ମାଣ ଚାଲିଛି। ଯେଉଁମାନେ ଏହି ନିର୍ମାଣ କାର୍ଯ୍ୟରେ ସାମିଲ ହେବେ, ସେମାନଙ୍କୁ ହତ୍ୟା କରାଯିବ । ଡଙ୍ଗରିଆ କନ୍ଧମାନଙ୍କ ଦାବି କ୍ରମେ ଗ୍ରାମ୍ୟ ନିର୍ମାଣ ବିଭାଗ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଉଛି । ଏହା ପୂର୍ବରୁ ମଧ୍ୟ ମାଓବାଦୀମାନେ ରାସ୍ତା ନିର୍ମାଣକୁ ବିରୋଧ କରି ଦୁଇ ଥର ଯନ୍ତ୍ରପାତି ପୋଡ଼ି ପକାଇଥିଲେ ।