ହାତରୁ ବନ୍ଧୁକ ଛଡ଼ାଇନେଲା ପ୍ରେମ : ପ୍ରେମର ଶୀତଳ ଛୁଆଁରେ ହିଂସା ଛାଡ଼ି ବିବାହ ବନ୍ଧନରେ ବାନ୍ଧିହେଲେ ଲାଲଗଡ଼ରେ ରାଜୁତି କରୁଥିବା ଦୁଇ ମାଓବାଦୀ

832

କନକ ବ୍ୟୁରୋ : ହାତରୁ ବନ୍ଧୁକ ଛଡ଼ାଇନେଲା ପ୍ରେମ । ପ୍ରେମର ଶୀତଳ ଛୁଆଁରେ ହିଂସା ଛାଡ଼ିଲେ । ଜୀବନର ପ୍ରକୃତ ମୂଲ୍ୟ ବୁଝାଇଲା ପ୍ରେମ । ଯେଉଁ ହାତ ଦିନେ ବନ୍ଧୁକ ଧରିଥିଲା, ଆଜି ସେ ହାତ ମେହନ୍ଦୀରେ ରଙ୍ଗେଇ ହୋଇଛି । ମାଓ ଇଲାକାରେ ଆରମ୍ଭ ହୋଇଥିବା ପ୍ରେମକୁ ନୂଆ ଠିକଣା ମିଳିଛି । ଏପରି ବିରଳ ତଥା ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ମାଓ ସଂଗଠନରେ ଥାଇ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀ ଏବେ ବିବାହରେ ପରିଣତ ହୋଇଛି । ଲାଲଗଡ଼ରେ ରାଜୁତି କରୁଥିବା ଦୁଇ ମାଓବାଦୀ ଚୋଟୁ ଗଞ୍ଜୁ ଓ ଜଳି ଦେହୁରୀ ଆମ୍ତସମର୍ପଣର କରିବା ପରେ ଏବେ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛି ।

ପ୍ରେମ ଶାଶ୍ୱତ । ପ୍ରେମ ଚିରନ୍ତନ । ପ୍ରେମ ମାନେନା ସୀମା ସରହଦ । ଆଉ ଏକଥାକୁ ସତରେ ପରିଣତ କରିଛନ୍ତି ଦୁଇ ମାଓବାଦୀ । ରକ୍ତର ତିଳକ ବଦଳରେ ମଥାରେ ସିନ୍ଦୁର ପିନ୍ଧିଲେ ଅନୁଗୁଳ ବ୍ଲକ୍ ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗ୍ରାମର ଜଲି ଦେହୁରୀ । ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାକୁ ଯାଇ ହିଂସାର ରାସ୍ତା ଆପଣାଇଥିବା ଜଲି ଦେହୁରୀ,ଝାଡ଼ଖଣ୍ଡର ଚୋଟୁ ଗଞ୍ଜୁଙ୍କୁ ବିବାହ କରି ସାତଜନମର ସାଥୀ ହେବା ପାଇଁ ଶପଥ ନେଇଛନ୍ତି । ୨୦୧୮ ଜାନୁୟାରୀରେ ଜଲି ଦେହୁରୀ ମାଓ ସଂଗଠନରେ ଯୋଗଦେଇଥିଲେ । ଆଉ ସେଠାରେ ପ୍ରଶିକ୍ଷଣ ନେବାବେଳେ ଛୋଟୁ ଗଞ୍ଜଙ୍କ ସହ ଦେଖାହୋଇଥିଲା । ଆଉ ସେହି ଦେଖା କିଛି ଦିନ ଭିତରେ ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା ।

ହେଲେ ରକ୍ତର ହୋଲି ଖେଳୁଥିବା ମାଓ ସଂଗଠନକ ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇନଥିଲା । ତେଣୁ ସେମାନେ ପ୍ରେମକୁ ସାକର କରିବାକୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସବୁଦିନ ପାଇଁ ହିଂସାର ରାସ୍ତାକୁ ଛାଡ଼ିଦେଲେ । ଆଉ ଅନୁଗୁଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ମାଓ ସଂଗଠନ ଛାଡ଼ିବା ପରେ ଭୟରେ ଜୀବନ ବିତାଉଥିଲେ ଉଭୟ ଛୋଟୁ ଓ ଜଲି । ତେବେ ତାଙ୍କ ପବିତ୍ର ପ୍ରେମକୁ ହୃଦୟଙ୍ଗମ କରି ପୋଲିସ ସାହାଯ୍ୟ କରିଥିଲା । ଶେଷର କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ବିବାହ କରାଇଥିଲା ପୋଲିସ୍ । ସର୍ବସମ୍ମତିକ୍ରମେ ଗତକାଲି ମଝିପଡ଼ା ଗ୍ରାମ ମହାନଦୀ ଗଣ୍ଡ ନିକଟ ଚମ୍ପେଶ୍ୱର ଶିବମନ୍ଦିରରେ ଉଭୟଙ୍କ ବିାହ ସମ୍ପନ୍ନ ହୋଇଛି । ପ୍ରାୟ ୨୦୦୦ରୁ ଅଧିକ କନ୍ୟାଯାତ୍ରୀ ଏହି ବିବାହରେ ସାମିଲ ହୋଇ ବରକନ୍ୟାଙ୍କୁ ଆଶିର୍ବାଦ ଦେଇଛନ୍ତି ।

ବିବାହ ବନ୍ଧନରେ ଆବନ୍ଧ ହୋଇ ଏବେ ସାଧାରଣ ଜୀବନ ଯାପନ କରିବାକୁ ଛାହାନ୍ତି ଦୁଇ ଜଣ । ତେବେ ବିବାହ ପରେ ସୁରକ୍ଷାକୁ ନେଇ ଭୟରେ ଅଛନ୍ତି ଜଲି ଓ ଛୋଟୁ । ତେଣୁ ଆମ ଦୁଇଜଣଙ୍କୁ ସୁରକ୍ଷା ଦିଆଯାଉ ବୋଲି ନିବେଦନ କରିଛନ୍ତି । ହିଂସାରେ କିଛି ନାହିଁ, ପ୍ରେମରେ ଏତେ ଶକ୍ତି ଅଛି ଯେ କାହାରକୁ ହୃଦୟକୁ ବି ତରଳାଇ ଦିଏ ବୋଲି ଉଭୟ ପ୍ରମାଣ କରିଛି । ସମାଜର ମୁଖ୍ୟସ୍ରୋତକୁ ଫେରିଆସି ଅନ୍ୟପାଇଁ ପ୍ରେରଣା ପାଲଟିଛନ୍ତି ଦୁଇ ଆତ୍ମସମର୍ପଣ କରିଥିବା ମାଓବାଦୀ ।