କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା । ଦ୍ୱିତୀୟ ପାଳିରେ ଓଡ଼ିଶାବାସୀ ଅଧିକ ଉପକୃତ ହୋଇଛି । ଓଡ଼ିଶାକୁ ପର୍ଯ୍ୟାପ୍ତ ପ୍ୟାକେଜ୍ ଦିଆଯାଇଛି । ଫନି ସହାୟତା, ରେଳ ବଜେଟ ମାଧ୍ୟମରେ ସିଧାସଳଖ ୧୬,୬୦୫.୨ କୋଟି ଟଙ୍କା ସହାୟତା ପାଇଛି ଓଡ଼ିଶା । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଓଡିଶାର ଦୁଇ ମନ୍ତ୍ରୀଙ୍କୁ ପ୍ରଥମ ପାଳିତ ଅପେକ୍ଷା ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ବିକାଶ ଦିଗରେ ଏହା ନିଶ୍ଚିତ ସହାୟକ ହେବ । ଅନ୍ୟପଟେ ଓଡିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦରେ ଅଧିଷ୍ଠିତ କରାଯାଇଛି । ପ୍ରାକୃତିକ ବିପର୍ୟ୍ୟୟ ଫନି ପୂର୍ବରୁ ଏବଂ ପରେ ରେକର୍ଡ ୪୬୭୮.୨୨କୋଟି ଟଙ୍କାର ପ୍ୟାକେଜ୍ ଦିଆଯାଇଛି । ୟୁପିଏ ସରକାରଙ୍କ ଦଶ ବର୍ଷରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ବର୍ଷକୁ ହାରାହାରି ୧ହଜାର କୋଟି ସହାୟତା ମିଳୁଥିବା ବେଳେ ମୋଦି ସରକାର କେବଳ ୨୦୧୯-୨୦ରେ ୫୯୯୩କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବନୀକରଣ ପାଇଁ କାମ୍ପା ଫଣ୍ଡ ଜରିଆରେ ୫୯୯୩.୯୮କୋଟି ଟଙ୍କା ଓଡିଶା ପାଇଁ ମଞ୍ଜୁର ହୋଇଛି ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଲୋକସଭାରେ ୧୩୭ ପ୍ରତିଶତ ଓ ରାଜ୍ୟସଭାରେ ୧୦୩ ପ୍ରତିଶତ କାର୍ୟ୍ୟଦିଵସ ହୋଇଛି । ପୂର୍ବରୁ ଯାହା କେଵେ ବି ହୋଇନଥିଲା। ୩୭୦ ଧାରା ଉଛେଦ ମୋଦି ସରକାରଙ୍କ ସଵୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ସଶକ୍ତ ଅର୍ଥନୈତିକ ସୁଦୃଢୀକରଣ ପାଇଁ ଜିଏସଟି ଲାଗୁ ଭଳି ବଡ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରବୀଣ ଅର୍ଥନୀତିଜ୍ଞ ସତ୍ତ୍ୱେ ଏଭଳି ଆଇନକୁ ଲାଗୁ କରିବାକୁ ସଫଳ ହୋଇନଥିଲେ । କାରଣ ଏପରି କରିଥିଲେ କ୍ଷମତା ଚଉକି ହରାଇବାର ଭୟ ଥିଲା । ଆଗରୁ ଦେଢ ଲକ୍ଷ କୋଟି ଥିବାବେଳେ ବର୍ତ୍ତମାନ ବଜେଟରେ ୭ ଲକ୍ଷ କୋଟି ଟଙ୍କା କେବଳ ଭିତ୍ତିଭୂମିରେ ବ୍ୟୟବରାଦ ସହ ଆଵଣ୍ଟିତ ହୋଇଛି ।
ଆୟକର ଦାଖଲ ସଂଖ୍ୟା ୩ କୋଟିରୁ ବଢି ୧୧ କୋଟିକୁ ପହଞ୍ଚିଛି। ଯୌନ ଶୋଷଣକାରୀଙ୍କୁ ଫାଶୀ ଓ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିଵା ନିଷ୍ପତ୍ତି ଥିଲା । ଆୟୁଷ୍ମାନ ଭାରତ ଯୋଜନା କୌଣସି ରାଜନୈତିକ ଯୋଜନା ନୁହେଁ । ଦେଶବାସୀଙ୍କ ସ୍ବାସ୍ଥ୍ୟ ସମ୍ପଦକୁ ନେଇ ମୋଦି ସରକାର ଯୋଜନା ଆଣିଛନ୍ତି । ହେଲେ ଓଡ଼ିଶାରେ ଏହି ନିୟମ ଲାଗୁ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏହାକୁ ରାଜ୍ୟରେ ଲାଗୁ କରିବାକୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟା ।
ଅନ୍ୟପଟେ ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ବେଳେ ବେଳେ ଏମିତି ମାନ୍ଦାବସ୍ଥା ଆସିଥାଏ । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି । ସରକାର ମାନ୍ଦାବସ୍ଥାକୁ ଦୂର କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଘରୋଇ ଉତ୍ପାଦ ପ୍ରଥମ ତିନି ମାସରେ କମିଛି କିନ୍ତୁ ବର୍ଷ ଶେଷ ବେଳକୁ ଏହା ବଢିବ ବୋଲି ଆଶା କରାଯାଉଛି ।